ଆମରଣ ଅନଶନରେ ବସିଲେ ଚାଷୀ

ବରଗଡ, (ନିରୋଜ କୁମାର ପାଣୀ) : ଫେଲ ମାରିଲା ଉପଜିଲ୍ଲାପାଳଙ୍କ ଲିଖିତ ପ୍ରତିଶ୍ରୁତି । ଧାନ ମାର୍କେଟ, ତହସିଲ ଅଫିସରେ ଧାରଣା ପରେ ଚାଷୀମାନେ ରାଜରାସ୍ତାରେ ରାସ୍ତାରୋକ କଲେ ହେଲେ କିଛି ସୁଫଳ ମିଳିଲାନି । ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଶେଷରେ ଆମରଣ ଅନଶନରେ ବସିଲେ ଚାଷୀ । ବରଗଡ଼ ଜିଲ୍ଲା ବରପାଲି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଚାରିଜଣ ଚାଷୀ ଆମରଣ ଅନଶନରେ ବସିବା ସହ ଅଞ୍ଚଳର ଅନେକ ଚାଷୀ ଏହି ଅନଶନକୁ ସମର୍ଥନ କରି ଧାରଣା ଦେଇଛନ୍ତି । ବରପାଲି ଅଞ୍ଚଳରେ ଧାନର ଅଭାବି ବିକ୍ରି, ଟୋକାନ ଲେପ୍ସ, ଟୋକାନ ଅବଧି ଶେଷ ସହ ବିଭିନ୍ନ ସମସ୍ୟାକୁ ନେଇ ଚାଷୀମାନେ ପ୍ରଶାସନିକ ଅଧିକାରୀଙ୍କୁ ଅନେକ ଥର ଜଣାଇଥିଲେ ହେଲେ କିଛି ସୁଫଳ ମିଳିନଥିଲା । ଶେଷରେ ଚାଷୀ ବାଧ୍ୟ ହୋଇ ଆମରଣ ଅନଶନ କରୁଥିବା ଚାଷୀ କହିଛନ୍ତି । ଅନଶନକୁ ଚାରିଘଣ୍ଟା ହୋଇ ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଚାଷୀଙ୍କ ସହ ଆଲୋଚନା ପାଇଁ ଆସିନଥିବା ଦେଖିବାକୁ ମିଳିଛି । ଅନଶନକୁ ବରପାଲି କଂଗ୍ରେସ ଦଳ ଓ ପଶ୍ଚିମ ଓଡିଶା ଯୁବାମଞ୍ଚ ସମର୍ଥନ କରିଛନ୍ତି । ସମସ୍ତ ଚାଷୀଙ୍କ ଟୋକନ ଆସିବା ସହ ସରକାର ସମସ୍ତଙ୍କ ଧାନକୁ କ୍ରୟ କରିବାକୁ ବରପାଲି ବ୍ଲକ କୃଷକ ମଞ୍ଚ ଦାବୀ କରିଛି ।

Leave A Reply

Your email address will not be published.