lika

ବ୍ଲକ ପ୍ରଶାସନର ଛାୟା ଠିକାଦାର ପ୍ରୀତି ଅଭିଯୋଗ : ବିନା ସୂଚନା ଫଳକରେ ଚାଲିଛି ନିମ୍ନ ମାନର କାର୍ଯ୍ୟ

gbag

ବୌଦ୍ଧ, (କେପିଏନଏସ୍) : କଣ୍ଟାମାଳ ବ୍ଲକ କୁଲୁତାଯୋର ପଞ୍ଚାୟତ ଫାସେଡ ଗ୍ରାମରେ ଏକ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିବା ବେଳେ ତାହା ଅତି ନିମ୍ନମାନର କାମ ହୋଇଥିବା ଅଭିଯୋଗ ହେଉଛି । ସରକାରୀ ନିୟମ ଅନୁସାରେ ମେଟାଲିଂ ୪ଇଞ୍ଚ ଓ ଚିପ୍ସ ଢଲେଇ ୩ଇଞ୍ଚ ରହିବା ନିୟମ ରହିଥିବା ବେଳେ ଏଠାରେ କିନ୍ତୁ ଉଭୟ କାମ ୨ଇଞ୍ଚ ଅନୁପାତରେ କାର୍ୟ୍ୟ ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଖାଲି ସେତିକି ନୁହେଁ, କାର୍ୟ୍ୟ ଆରମ୍ଭ ପୂର୍ବରୁ ସୂଚନା ଫଳକ ଲାଗିବାର ନିୟମ ରହିଥିବା ବେଳେ ଉକ୍ତ କାମର ସୂଚନା ଫଳକ ମଧ୍ୟ ଲାଗିନଥିବା ଆଲୋଚନା ହେଉଛି । ଫଳରେ ଏହା କେଉଁ ବିଭାଗର କାମ ସେ ବିଷୟରେ ସଂପୂର୍ଣ୍ଣ ତଥ୍ୟ ଜାଣି ହେଉନାହିଁ । ଉକ୍ତ ବିଷୟରେ ବିଭାଗୀୟ ଯନ୍ତ୍ରୀ ଲଳିତା ମାଝୀଙ୍କୁ ପଚାରିବାରୁ ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥ ଅନୁଦାନରେ ୨ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଉକ୍ତ କଂକ୍ରିଟ ରାସ୍ତା ନିମ୍ନମାନର କାମ ହୋଇଥିବା କଥାକୁ ସେ ସ୍ବୀକାର କରିବା ସହ ସେମାନଙ୍କୁ ଅଧିକ କାମ କରିବା ପାଇଁ କୁହାଯାଇଛି ବୋଲି କହିଥିଲେ । ତେବେ ନିମ୍ନ ମାନର କଂକ୍ରିଟ ନିର୍ମାଣ କାମକୁ ପୁନଃ ନିର୍ମାଣ କରାଇବା ପରିବର୍ତ୍ତେ ଟିକେ ଅଧିକ କାମ କରିବା ପାଇଁ କୁହାଯିବା ନେଇ ଯନ୍ତ୍ରୀଙ୍କ ମତକୁ ବୁଦ୍ଧିଜୀବୀ ମହଳରେ ନାପସନ୍ଦ କରାଯାଇ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କରାଯାଇଛି । ସ୍ବଚ୍ଛ ନିର୍ମଳ ପ୍ରଶାସନ କହି ବାହାରେ ଡିଣ୍ଡିମ ପିଟୁଥିବା କଣ୍ଟାମାଳ ବ୍ଲକ ପ୍ରଶାସନ ବିଭାଗୀୟ କାମକୁ ଛାୟା ଠିକାଦାର ଜରିଆରେ କାମଦେଇ ପ୍ରିୟାପ୍ରୀତି ପୋଷଣ କରି ନିମ୍ନମାନର କାର୍ୟ୍ୟ କରୁଥିବା ସାଧାରଣରେ ଅଭିଯୋଗ ହେଉଛି । ଏହି ନିମ୍ନମାନର କାର୍ୟ୍ୟକୁ ଭାଙ୍ଗି ପୁନଃ ନିର୍ମାଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

babaa
Leave A Reply

Your email address will not be published.