ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜଧାନୀର ପୁରୁଣା ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ପାସେଞ୍ଜର ହଲ୍ଟ୍କୁ ପୂର୍ଣ୍ଣ ଷ୍ଟେସନର ମାନ୍ୟତା ପାଇଁ ଗତ ଏପ୍ରିଲମାସରୁ ଏକ ଭର୍ଚ୍ୱାଲ ମିଟ୍ରେ ଗଣ ଧାରଣା ହୋଇଆସିଛି, ଏବେ ଲକ୍ଡାଉନ ପାଇଁ ଥମି ନ ଯାଇ ପୂର୍ବପରି ଚାଲି ରହିଛି । କିନ୍ତୁ ଏବେ ତାହା ଗୁଗୁଲ ମିଟ୍ରେ ଭୁବନେଶ୍ୱରର ସୁନ୍ଦରପଦାସ୍ଥିତ ସେବା ପ୍ରତିନିଧି ସଙ୍ଗଠନର ମୁଖ୍ୟ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ଚାଲିଛି । ଆଜିର ଏହି ଆଲୋଚନାରେ ୨୦ ଜଣ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଉକ୍ତ ଷ୍ଟେସନକୁ କିପରି ପୂର୍ଣ୍ଣ ଷ୍ଟେସନର ମାନ୍ୟତା ମିଳିବ, ତାକୁ ନେଇ ଆଲୋଚନା କରିଥିଲେ । ଏହି ଆଲୋଚନାରେ ଏହି ପାସେଞ୍ଜର ହଲ୍ଟ୍ରୁ କିପରି ସବୁଦିନ ଏକ “ମୋ ବସ” ଲିଙ୍ଗରାଜ ମନ୍ଦିର ତଥା ଧଉଳି ରୁଟ ଦେଇ ଚାଲିବ । ଏ ନେଇ ଆଲୋଚନା କରାଯାଇଥିଲା । ଲକ୍ଡାଉନ ସରିବା ପରେ ଏହି ଯଥାର୍ଥ ଦାବୀକୁ ନେଇ ମାନ୍ୟବର ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ପଣ୍ଡାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ଆଜିର ଏହି ଆଲୋଚନାରେ ନିଷ୍ପତ୍ତି ନିଆଯାଇଛି । ଆଜିର ଏହି ଆଲୋଚନାରେ ଅବସରପ୍ରାପ୍ତ ଜଣେ ଓଏଏସ ଅଫିସର ହଳଧର ମଲିଆ, ଦାମୋଦର ସାମନ୍ତରାୟ, ବାଇଧର ପାତ୍ର, ବଂଶୀଧର ପଣ୍ଡା, ଅନୁପମ ବୋଷ, ଦିଲ୍ଲୀପ ଦାଶ ଶର୍ମା ପ୍ରମୁଖ ଯୋଗଦେଇ ଉପଯୁକ୍ତ ଦାବୀ ମୁତାବକ ପ୍ରଶାସନକୁ ଆହ୍ୱାନ କରିଥିଲେ ।
ସୂଚନାଯୋଗ୍ୟ ଯେ, ୨୦୧୬ ମସିହାରୁ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ର ଏ ନେଇ ବିଭିନ୍ନ ସମୟରେ ରେଳବିଭାଗ ତଥା ମନ୍ତ୍ରୀ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଅଦ୍ୟାବଧି ତାହା ପୂରଣ ହୋଇନାହିଁ । ଦିନକୁ ଦିନ ପୁରୁଣା ଭୁବନେଶ୍ୱର ତଥା ଖଣ୍ଡଗିରି ପାଖଆଖରେ ଜନସଂଖ୍ୟା ବଢ଼ୁଥିଲେ ମଧ୍ୟ ସରକାର ଏହି ନ୍ୟାର୍ୟ୍ୟ ଦାବୀକୁ ଅଣଦେଖା କରୁଛନ୍ତି । ତେଣୁ ବର୍ତ୍ତମାନ ପରିସ୍ଥିତିରେ ସେବା ପ୍ରତିନିଧି ସହ ଅନ୍ୟ ସଙ୍ଗଠନମାନେ ମଧ୍ୟ ଯୋଗ ଦେଇ ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରିଛନ୍ତି, ଏହି ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ହେବ ବୋଲି କୁହାଯାଇଛି ।