ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କାର୍ୟ୍ୟକାରୀ କରିଛନ୍ତି । ସାମାଜିକ ସୁରକ୍ଷା ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା, ମଧୁବାବୁ ପେନସନ ଯୋଜନା, ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା ଯୋଗାଇ ଦେଉଛନ୍ତି । ହେଲେ ଅନେକ କ୍ଷେତ୍ରରେ ଯୋଜନା ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଅପହଞ୍ଚ ହେଉଛି । ସୁଚନା ଅନୁସାରେ ଖପ୍ରାଖୋଲ ବ୍ଳକ ରେଙ୍ଗାଲି ପଞ୍ଚାୟତ ନାଗଡେରା ଗ୍ରାମର ପୁର ନାଗ( ୮୧) ଓ ତାଙ୍କ ପତ୍ନୀ ପ୍ରେମକାନ୍ତୀ ନାଗ(୭୫) ବୃଦ୍ଧ ବୃଦ୍ଧା ଦୁହିିଁଙ୍କୁ ଭତ୍ତା ମିଳୁନଥିବା ଅଭିଯୋଗ ହୋଇଛି । ଭତ୍ତା ପ୍ରଦାନ ଠିକ୍ ଭାବରେ ପରିଚାଳିତ ହେଉ ନଥିବା ଯୋଗୁଁ ପ୍ରକୃତ ହିତାଧିକାରୀ ମାନେ ବଞ୍ଚିତ ହୋଇଥିବା ବେଳେ କମ୍ ବୟସ୍କ ଲୋକେ ନିଜ ବୟସ ଜନ୍ମ ତାରିଖକୁ ଜାଲିଆତି କରି ଭତ୍ତା ହାତଉଥିବା ମଧ୍ୟ କାଁ ଭାଁ ଖବର ମିଳୁଛି । ପୁର ନାଗଙ୍କୁ ୮୧ ବର୍ଷ ହେଉଥିବା ବେଳେ ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ନ ମିଳିବା ପରିତାପର ବିଷୟ ବୋଲି ଲୋକେ ଆଲୋଚନା କରୁଛନ୍ତି । ପୁର ଓ ତାଙ୍କ ପତ୍ନୀ ପ୍ରେମକାନ୍ତୀଙ୍କ ଘର ଓ ଭତ୍ତା ଯୋଗାଇ ଦେବାକୁ ସେବା ଚେରିଟେବୁଲ୍ ଟ୍ରଷ୍ଟର ସଭାପତି ସୁନୀଲ ସିଂ ଖପ୍ରାଖୋଲ ବିଡିଓ ତରଣୀ ସୁନାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୈାଣସି ସୁଫଳ ମିଳିନାହିଁ । ଏନେଇ ସେବା ଚେରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ବଲାଙ୍ଗିର ଜିଲ୍ଲାପାଳ, ୫ଟି ସଚିବଙ୍କୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଥିବା କୁହାଯାଇଛି । ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଏହି ଦୁଇ ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।