ବାଇକ ଦୁର୍ଘଟଣାରେ କଲେଜ କର୍ମଚାରୀ ମୃତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ବଙ୍ଗୋମୁଣ୍ଡା ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର କର୍ମଚାରୀ ବାଇକ ଦୁର୍ଘଟଣାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଲିଛି । ସୂଚନା ମତେ, ବଙ୍ଗୋମୁଣ୍ଡା ସଦରର ଭୁବନେଶ୍ୱର ସାହୁ ତାଙ୍କ ସାଥୀଙ୍କ ସହ ଗତ କିଛି ଦିନ ତଳେ ଏକ ବିବାହ ଭୋଜିରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ବାଟରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଥିବା ଣାପଡିଛି । ଶବକୁ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପରିବାରରେ ତାଙ୍କ ସ୍ତ୍ରୀ ସୁଭଦ୍ରା ସାହୁଙ୍କ ସହ ୨ ପୁଅ ଥିବା ବେଳେ ସେମାନେ ବେସାହାରା ହୋଇଯାଇଛନ୍ତି । ସେ ଦୀର୍ଘ ବର୍ଷରୁ ବଙ୍ଗୋମୁଣ୍ଡା ପଂଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ତୁରନ୍ତ ଏହି ପରିବାରକୁ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.