jayashree

ଅବ୍ୟବସ୍ଥା ଘେରରେ ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନର ସରକାରୀ କର୍ମଚାରୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡିଶା ସରକାରଙ୍କୁ କୋଟିକୋଟି ଟଙ୍କାର ରାଜସ୍ୱ ପ୍ରଦାନ କରିଥାଏ କେନ୍ଦୁପତ୍ର ବିଭାଗ । ଏହାକୁ ସଫଳ କରିବାରେ ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ ।ତାଙ୍କର ଅକ୍ଲାନ୍ତ ପରିଶ୍ରମର ଫଳ ସ୍ୱରୂପ ସରକାର ଏହି ରାଜସ୍ୱ ଲାଭ କରିଥାଆନ୍ତି । କିନ୍ତୁ ଦୁଃଖର ବିଷୟ ସେହି ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡମାନଙ୍କୁ ବାରମ୍ବାର ଅଣଦେଖା କରୁଥିବାର ଅଭିଯୋଗ ଆସିଛି ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନରୁ । ଫରେଷ୍ଟର ଏବଂ ଫରେଷ୍ଟଗାର୍ଡ ମାନଙ୍କୁ ଗୋଟିଏ ଗୋଟିଏ ସେକସନ ଦାୟିତ୍ୱ ଦିଆଯାଇଥାଏ । ପ୍ରତ୍ୟେକ ସେକସନରେ ସେକସନ ହାଉସ ରହିବା କଥା କିନ୍ତୁ ପାଟଣାଗଡ଼ ଡିଭିଜନର ୯୦ ପ୍ରତିଶତ ସେକ୍ସନରେ ସେକ୍ସନ ଘର ନାହିଁ ଯାହାଦ୍ୱାରା ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୁଃଖର ବିଷୟ ପାଟଣାଗଡ଼ ଡିଭିଜନର କୌଣସି କର୍ମଚାରୀଙ୍କର ପରିଚୟ ପତ୍ର ନାହିଁ ।କୌଣସି କର୍ମଚାରୀଙ୍କୁ ନିୟମିତ ଭାବରେ ୟୁନିଫର୍ମ ପ୍ରଦାନ କରାଯାଉ ନାହିଁ । ଅଫିସରେ ମଧ୍ୟ ଚାଲିଛି ଖାମଖିଆଳି ମନୋଭାବ । କଣ୍ଟ୍ରାକଚୁଆଲ ଫରେଷ୍ଟର ମାନଙ୍କର ୬ବର୍ଷ ପୁରି ଯାଇଥିଲେ ସୁଦ୍ଧା ସେମାନଙ୍କୁ ସରକାର ଗାଇଡ ଲାଇନ ଅନୁସାରେ ନିୟମିତ କରାଯାଉନାହିଁ । ୨୦୧୨ ମସିହାରେ ଯୋଗଦେଇଥବା ଫରେଷ୍ଟର ମାନଙ୍କର ୬ ମାସର ଦରମା ବାକିଥିବାର ଅଭିଯୋଗ ମଧ୍ୟ ଅଛି । ଉପରିସ୍ଥ କୌଣସି ଅସୁବିଧାର ଯିଏ ବିରୋଧ କରୁଛି ତାଙ୍କୁ ଉପରିସ୍ଥ ଅଧିକାରୀ ମାନେ ହଇରାଣ କରନ୍ତି ବୋଲି କର୍ମଚାରୀ ମାନେ ମତ ଦେଉଛନ୍ତି । ତେଣୁ କୌଣସି କର୍ମଚାରୀ ଏହାର ବିରୋଧ କରିବାର ସାହାସ କରିପାରୁ ନାହାନ୍ତି । ଏଠାରେ ଯେଉଁ ଡିଏଫଓ ଯୋଗଦିଅନ୍ତି ସେମାନେ କାହାରି କୌଣସି ଅସୁବିଧା ନ ବୁଝି କେତେ ଜଣ ଷ୍ଟାଫଙ୍କ କଥାରେ ପରିଚାଳିତ ହୁଅନ୍ତି ବୋଲି କର୍ମଚାରୀ ମାନେ କ୍ଷୋଭ ପ୍ରକାଶ କରନ୍ତି । ଅନ୍ୟ ପକ୍ଷରେ ସରକାର କେନ୍ଦୁପତ୍ରରୁ କୋଟି କୋଟି ଟଙ୍କାର ରାଜସ୍‌ସ୍ୱ ପାଉଥିବା ବେଳେ କର୍ମଚାରୀ ମାନଙ୍କ ପ୍ରତି ଅବହେଳା କରାଯାଉଛି ଏବଂ ଉପରିସ୍ଥ ଅଧିକାରୀଙ୍କ ତଳିଆ କର୍ମଚାରୀମାନଙ୍କ ପ୍ରତି ଏମିତି ମନୋଭାବକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯାଉଛି । ଆଗାମୀ ଅଳ୍ପ ଦିନ ମଧ୍ୟରେ ସବୁ ସମାଧାନ କରିବାକୁ ସାଧାରଣରେ ଦାବୀ ହୋଇଛି ।

Leave A Reply

Your email address will not be published.