jayashree

ସାହିତ୍ୟିକ ଡ. ମଙ୍ଗଳୁ ଚରଣ ବିଶ୍ବାଳଙ୍କ ୮୭ ତମ ଜନ୍ମ ଦିନରେ ଚିପିଲିମା ସାହିତ୍ୟ ଆସର

ସଂବଲପୁର,(କେପିଏନ୍‌ଏସ୍‌) : ମା’ ଘଣ୍ଟେଶ୍ବରୀ ସାହିତ୍ୟ ଘର, ଚିପିଲିମା ଆନୁକୂଲ୍ୟରେ ତା’ର ଷଷ୍ଠତମ ଅନ୍ ଲାଇନ୍ ସାହିତ୍ୟ ଆସରରେ ମହାନ ସାହିତ୍ୟିକ ଡ. ମଙ୍ଗଳୁ ଚରଣ ବିଶ୍ବାଳଙ୍କ ୮୭ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ପଶ୍ଚିମାଞ୍ଚଳର ଭିନ୍ନ ଭିନ୍ନ ଜିଲ୍ଲାରୁ ପ୍ରାୟ ୪୬ ଜଣ କବି ଓ କବୟିତ୍ରୀ ଅଂଶଗ୍ରହଣ କରିଥିଲେ । ସାହିତ୍ୟ ଘରର ଉପଦେଷ୍ଟା ଲକ୍ଷ୍ମୀନାରାୟଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା । ଆଲୋଚକ ଡ଼.ଗୈାରୀଦାସ ପଧାନ, ସାହିତ୍ୟ ସାଧକ ମଙ୍ଗଳୁ ଚରଣ ବିଶ୍ବାଳଙ୍କ ଜୀବନୀ ତଥା ତାଙ୍କର ସାହିତ୍ୟ କୃତି ଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ । ତାଙ୍କ ସାହିତ୍ୟର ଭିନ୍ନ ଭିନ୍ନ ଦିଗ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ । ଆନ୍ତର୍ଜାତିକ ସ୍ତରରେ ଆଲୋଡନ ସୃଷ୍ଟି କରି ପୁରସ୍କୃତ ହେଇଥିବା ‘ଭୁଖା’ ନାଟକ ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା । ଏହି ପରିପ୍ରେକ୍ଷୀରେ ସୁଧାଂଶୁ ଭୂଷଣ ଷାଣ୍ଢ, ସଙ୍ଗୀତା ମୋହନ ଗହିର, ବୃନ୍ଦାବନ ପ୍ରଧାନ, ସନ୍ତୋଷ ଅଦାବର ଓ ଆର୍. ପୁଷ୍ପାଞ୍ଜଳି କବିଙ୍କର ବଳିଷ୍ଠ ଛଅଟି କବିତା ପାଠ କରିଥିଲେ । କ୍ଷେତ୍ରମଣି ବିଭାର, ପ୍ରୀତିନନ୍ଦା ପାଣିଗ୍ରାହୀ, ଚନ୍ଦ୍ରାବତୀ ପାଣ୍ଡେ, ଫିରୋଜ ପଟେଲ, ସବୀର ରଞ୍ଜନ ନାଥ, ଆଶୁତୋଷ ମେହେର ତଥା ଅନ୍ୟ ସାହିତ୍ୟ ସାଧକ ସାଧିକାମାନେ ମଙ୍ଗଳୁ ସାହିତ୍ୟ ଉପରେ ଆଲୋଚନା କରି ନିଜ ନିଜର ମତ ପ୍ରକାଶ କରିଥିଲେ । ଘଣ୍ଟି କଲାପଟାର ସଂପାଦକ ତରଣିସେନ ମେହେରଙ୍କ ସଂଯୋଜନା ଆସରଟିକୁ ଜୀବନ୍ତ କରିଦେଇଥିଲା । ଆସରରେ ଉପସ୍ଥିତ ସମସ୍ତେ କବିଙ୍କ ଦୀର୍ଘାୟୁ ଓ ସୁସ୍ଥ ନିରୋଗ ଜୀବନର କାମନା କରିଥିଲେ ।କଲାପଟା ସାହିତ୍ୟର ପୁରୋଧା ଲକ୍ଷ୍ମୀନାରାୟଣ ପାଣିଗ୍ରାହୀଙ୍କ ଭାଷାରେ, କବି କବିତା ଲେଖେ, କିନ୍ତୁ ପାଠକ ତା’ର ପୂର୍ଣ୍ଣଛେଦ ପକାଏ ଏବଂ ସେହି କବିତା ଗୁଡ଼ିକ ଭାଷାର ସେତୁବନ୍ଧରେ ଗୁଣ୍ଡୁଚି ମୂଷାର କାର୍ୟ୍ୟ କରିଥାଏ । ଶେଷରେ ସାହିତ୍ୟ ଘରର ଆବାହକ ସଂଗୀତା ମୋହନ ଗହିର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.