
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ରବି ଋତୁର ଧାନ ସଂଗ୍ରହ ଆସନ୍ତା ମେ ୫ ତାରିଖରୁ ଆରମ୍ଭ ହେବ । ଜିଲ୍ଲାର ବରଗଡ଼, ଅତାବିରା, ପଦ୍ମପୁର ଆରଏମସି ଅନ୍ତର୍ଗତ ମଣ୍ଡି ଗୁଡିକରେ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବା ସହ ଧାନ ଓଜନ ମେସିନ, ମିଶ୍ଚର ମେସିନ ଆଦିର ବ୍ୟବସ୍ଥା କରିବାକୁ ଆଜି ଓସ୍ୱାନ ହଲ୍ ଠାରେ ଅନୁଷ୍ଠିତ ଜିଲ୍ଲା ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ କମିଟିର ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମଣ୍ଡି ଗୁଡିକରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାନୀୟ ଜଳ ସହ ଆବଶ୍ୟକ ସ୍ଥଳେ ତାରପୋଲିନର ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସେହିପରି ରବି ଋତୁର ଧାନ ବିକ୍ରି ପାଇଁ ଜିଲ୍ଲାରେ ୭୦ ହଜାର ଚାଷୀ ନାମ ପଞ୍ଜିକରଣ କରିଥିବା ଏବଂ ସେମାନଙ୍କ ଧାନ ସଂଗ୍ରହ ସୁରୁଖୁରୁରେ କରିବାକୁ ବିଧାୟକ ଦେବେଶ ଆଚାର୍ୟ୍ୟ ଆଲୋଚନାରେ ଅଂଶ ଗ୍ରହଣ କରି କହିଥିଲେ । ପୂର୍ବ ଥର ଭଳି ଚଳିତ ଥର ମଧ୍ୟ ଟୋକନ ମାଧ୍ୟମରେ ଚାଷୀ ଧାନ ବିକ୍ରି କରି ପାରିବ । ତେବେ ଜିଲ୍ଲାରେ କେତେ ଧାନ ସଂଗ୍ରହ କରାଯିବ ତାହା ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ ସୂଚନା ଦେଇଥିଲେ । ବୈଠକରେ ରାଜ୍ୟ ସଭା ସଦସ୍ୟ ପ୍ରସନ୍ନ ଆଚାର୍ୟ୍ୟ, ବିଧାୟକ ଦେବେଶ ଆଚାର୍ୟ୍ୟ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ,ସାଂସଦ ପ୍ରତିନିଧି ସୁରେଶ୍ଵର ଶତପଥୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସେହିପରି ଭିଡିଓ କନଫରେନ୍ସ ମାଧ୍ୟମରେ ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଏବଂ ବିଧାୟିକା ରୀତା ସାହୁ ଅଂଶ ଗ୍ରହଣ କରିଥିଲେ ।