ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୪ ଗିରଫ

ବୌଦ୍ଧ, (ବଂଶୀଧର ମାଝୀ) : ଆଜି ବୌଦ୍ଧ ବନଖଣ୍ଡ ଅଧିନସ୍ଥ ପୁରୁଣା କଟକ ରେଞ୍ଜ ଅନ୍ତର୍ଗତ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୪ ଜଣ ବ୍ୟକ୍ତିଙ୍କୁ ବନ ବିଭାଗ ଗିରଫ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମତେ ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧୁଙ୍ଗିଆ ମୁଣ୍ଡା ଗ୍ରାମର ଉମାକାନ୍ତ ମଲିକ (୪୦), ବନ୍ଧୁଆ ବେହେରା (୫୦), କୃଷ୍ଣଚନ୍ଦ୍ର ଦୀପ (୫୮) ଓ ପ୍ରଶାନ୍ତ ମଲ୍ଲିକ (୪୦)ଙ୍କୁ ବନ ବିଭାଗର କର୍ମଚାରୀମାନେ ଆଜି ସକାଳେ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଦେଖି ତଲାସୀ ନେବାରୁ ସେମାନଙ୍କ ନିକଟରୁ ୨ ଗୋଟି ଟାଂଗିଆ ଓ ଦୁଇଟି ଦିଆସିଲି ପାଇବା ପରେ ତାକୁ ଜବତ୍ କରି ସେମାନଙ୍କୁ ଗିରଫ କରି ପୁରୁଣାକଟକ ରେଞ୍ଜ କାର୍ୟ୍ୟାଳୟକୁ ଆଣିଥିଲେ । ସୂଚନାପାଇ ବୌଦ୍ଧ ଡିଏଫଓ ଯଶୋବନ୍ତ ସେଠୀ ସେଠାରେ ପହଂଚି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ପେଟ୍ରୋଲିଂ ସମୟରେ ଏସିଏଫ ଜିତେନ୍ଦ୍ର କୁମାର ବେହେରା, ପୁରୁଣାକଟକ ରେଞ୍ଜର ନିହାର ରଞ୍ଜନ ମଲ୍ଲିକ, ବନପାଳ ବିଜୟା ନନ୍ଦ ସାହୁ, ବନରକ୍ଷୀ ଲାଲକୃଷ୍ଣ ସାହୁ, ମାନସ ରଞ୍ଜନ ସାହୁ, ଦୀପକ କୁମାର ନାଏକ, ଆଶିଷ ମେହେର ପ୍ରମୁଖ ଉପସ୍ଥିତଥିବା ଜଣାଯାଇଛି । ଅପର ପକ୍ଷରେ ମୁଣ୍ଡେଶ୍ୱର ଜଙ୍ଗଲରେ ଗତ ୩/୪ଦିନ ପୂର୍ବରୁ ନିଆଁ ଲାଗିଥିବା ବେଳେ ନିଆଁ ଲଗାଇଥିବା ପଛରେ ପ୍ରକୃତରେ ସେମାନଙ୍କର ହାତ ଅଛିନା ନାହିଁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯଦି ସେମାନେ ପ୍ରକୃତ ଦୋଷୀ ତେବେ ତାଙ୍କ ବିରୁଦ୍ଧରେ ଦ୍ରୁଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ମାତ୍ର ଅନ୍ୟଥା କୌଣସି ନିରୀହ ଲୋକଙ୍କୁ ସନ୍ଦେହରେ ଯେପରି ଗିରଫ ନହୁଅନ୍ତି ସେଥିପ୍ରତି ବିଭାଗୀୟ ଅଧିକାରୀ ଅଧିକ ଯତ୍ନଶୀଳ ହେବାକୁ ସାଧାରଣରେ ମତପ୍ରକାଶ ପାଉଛି ।

Leave A Reply

Your email address will not be published.