jayashree

୭୨ ବର୍ଷ ପରେ ବି ମିଳିନି ନ୍ୟାୟ : ଆର୍‌ଏସ୍‌ପି ବିସ୍ଥାପିତଙ୍କ ଦୁଃଖ କେବେ ସରିବ ?

ରାଉରକେଲା, (କେପିଏନ୍‌ଏସ୍‌) : ୭୨ ବର୍ଷ ବିତିଗଲା, ହେଲେ ମିଳିଲାନି ନ୍ୟାୟ । ଇସ୍ପାତ କାରଖାନା ନିର୍ମାଣ ପାଇଁ ହରାଇଥିଲେ ନିଜ ଭିଟାମାଟି ଓ ଜମି । ପ୍ରତିବଦଳରେ ମିଳିବାକୁ ଥିବା ଅଧିକାର ଆଜି ବି ଅଧୁରା । ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଦ୍ୱାରା ବିସ୍ଥାପିତ ପରିବାରଙ୍କ ଦୀର୍ଘଦିନର ଯନ୍ତ୍ରଣା ପୁଣିଥରେ ସାମ୍ନାକୁ ଆସିଛି । ନିଜ ହକ୍ ଓ ଅଧିକାର ଦାବିରେ ଜଳଦା ବିସ୍ଥାପିତ କମିଟି ପକ୍ଷରୁ ନଭେମ୍ବର ୨୯ ତାରିଖରେ ଜଳଦା ଏ ବ୍ଲକ୍‌ସ୍ଥିତ ଏସ୍‌.କେ. ସୋସିଆଲ୍ ମ୍ୟାରେଜ୍ ହଲ୍‌ରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି । ଅପରାହ୍ନ ୩ଟା ୩୦ ମିନିଟ୍‌ରେ ହେବାକୁ ଥିବା ଏହି ସମ୍ମିଳନୀରେ ଆର୍‌ଏସ୍‌ପି ପରିଚାଳନା ବିରୋଧରେ ବିସ୍ଥାପିତଙ୍କ ବିଭିନ୍ନ ସମସ୍ୟା ଓ ଦାବି ଉପସ୍ଥାପନ କରାଯିବ । କମିଟିର ମୁଖ୍ୟ ଦାବି ମଧ୍ୟରେ ରହିଛି ଜମି ବଦଳରେ ଜମି ପ୍ରଦାନ, ପୁନର୍ବାସ ଜମି ଓ ପ୍ଲଟ୍‌ର ରେକର୍ଡ ଅଫ୍ ରାଇଟ୍ସ ଯୋଗାଇବା, ଆର୍‌ଓଆର୍‌ରେ ଜାତିର ଉଲ୍ଲେଖ, ବିସ୍ଥାପିତ ପରିବାରର ଯୋଗ୍ୟ ସଦସ୍ୟଙ୍କୁ ନିଯୁକ୍ତି ଏବଂ ରାସ୍ତାଘାଟ, ଷ୍ଟ୍ରିଟ୍ ଲାଇଟ୍ ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ଯୋଗାଇଦେବା । ଏହି ସମ୍ମିଳନୀରେ କମିଟି ସଭାପତି କାର୍ତ୍ତିକ ଭୂମିଜ, ଉପସଭାପତି ଶ୍ୟାମ ସୁନ୍ଦର ଭୂମିଜ, ସାଧାରଣ ସମ୍ପାଦକ ବିଜୟ କୁମାର ଲୋହାର, ଉପଦେଷ୍ଟା ଗୋପାଳ ଦାସ, ଉପସମ୍ପାଦକ ଇଗ୍ନେଶ ଖଡ଼ିଆ ଓ ସଭ୍ୟ ପତରସ ତିର୍କୀଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିବେ । ତେବେ ପ୍ରଶ୍ନ ଉଠୁଛି, ବିକାଶ ପାଇଁ ନିଜର ସର୍ବସ୍ୱ ତ୍ୟାଗ କରିଥିବା ବିସ୍ଥାପିତ ପରିବାରଙ୍କୁ ଆଉ କେତେ ଦିନ ଅପେକ୍ଷା କରିବାକୁ ପଡ଼ିବ ? ୭୨ ବର୍ଷର ପୁରୁଣା ଦାବିକୁ ଆର୍‌ଏସ୍‌ପି ପରିଚାଳନା କେବେ ପୂରଣ କରିବ ? ନିଜ ହକ୍ ପାଇଁ ଲଢ଼ୁଥିବା ବିସ୍ଥାପିତଙ୍କୁ କେବେ ମିଳିବ ନ୍ୟାୟ ? ଏବେ ଏହି ପ୍ରଶ୍ନର ଉତ୍ତରକୁ ଅପେକ୍ଷା କରିଛନ୍ତି ଜଳଦାର ବିସ୍ଥାପିତ ପରିବାର ।

Leave A Reply

Your email address will not be published.