jayashree

ବଲାଙ୍ଗିରର ଦୁର୍ଭାଗ୍ୟ : ଅଛି ଦକ୍ଷତା ବିକାଶ କେନ୍ଦ୍ର କିନ୍ତୁ ମିଳୁ ନାହାନ୍ତି ପ୍ରଶିକ୍ଷାର୍ଥୀ – ବଲାଙ୍ଗିର ସ୍ୱାଭିମାନ ମଂଚ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ବେକାରୀ ସମସ୍ୟା ଓ ଦାଦନ ଦୁଃଖର ଅନ୍ତ କେବେ ? ଯୁବକଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ଖୋଲିଛନ୍ତି ଦକ୍ଷତା ବିକାଶ କେନ୍ଦ୍ର । ମାଗଣାରେ ରହିବା, ଖାଇବା ସହ ତାଲିମର ସୁବିଧା ମଧ୍ୟ ରହିଛି । ହେଲେ ପ୍ରଶିକ୍ଷଣ ନେବାକୁ ଆଗେଇ ଆସୁନାହାନ୍ତି ଆଶାୟୀ । ଫଳରେ କୋଟି କୋଟି ଟଙ୍କାର ଯୋଜନା ଓ ଭିତ୍ତିଭୂମି ଥାଇ ମଧ୍ୟ ବନ୍ଦ ହୋଇପଡ଼ିଛି ତାଲିମ କେନ୍ଦ୍ର । ଏଭଳି ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆଣିଛି ବଲାଙ୍ଗିର ସ୍ୱାଭିମାନ ମଞ୍ଚ । ଜିଲ୍ଲାର ଶିକ୍ଷିତ ବେକାରୀ ସମସ୍ୟା ଓ ଦାଦନ ଶ୍ରମିକଙ୍କ ସ୍ଥିତି ନେଇ ମଞ୍ଚର ଏକ ପ୍ରତିନିଧି ଦଳ ଜିଲ୍ଲା ନିଯୁକ୍ତି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନାରୁ ଜଣାପଡ଼ିଛି ଯେ, ଜିଲ୍ଲାରେ ପ୍ରାୟ ୩୬ ହଜାର ପଞ୍ଜୀକୃତ ଶିକ୍ଷିତ ଯୁବକଯୁବତୀ ଏବେ ବି ନିଯୁକ୍ତି ଅପେକ୍ଷାରେ ଅଛନ୍ତି । ତେବେ ଏହି ସଂଖ୍ୟା ପ୍ରକୃତ ବେକାରଙ୍କ ସଂଖ୍ୟାଠାରୁ କମ୍ ହୋଇପାରେ । ଯୁବଗୋଷ୍ଠୀଙ୍କୁ ନିଜ ଗୋଡ଼ରେ ଠିଆ କରାଇବା ପାଇଁ ଲର୍କିପାଲି, ଦୁର୍ଗାପାଲି, ଭୁତିଆରବାହାଲ ଓ ବଲାଙ୍ଗିର ସହରର ମାଲପଡ଼ାରେ ଚାରୋଟି ଦକ୍ଷତା ବିକାଶ କେନ୍ଦ୍ର ଖୋଲାଯାଇଥିଲା । ଏଠାରେ ମୋବାଇଲ ମରାମତି, ଚାରିଚକିଆ ଯାନ ମରାମତି, ସିଲେଇ ଓ ସହଯୋଗୀ ଇଲେକ୍ଟ୍ରିସିଆନ ଭଳି ବିଭିନ୍ନ କୌଶଳରେ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ହୋଇଥିଲା । ପ୍ରତ୍ୟେକ ବ୍ୟାଚ୍‌ରେ ୩୦ ଜଣଙ୍କୁ ତାଲିମ ଦେବା ସହ ସେମାନଙ୍କ ରହିବା ଓ ଖାଇବା ଖର୍ଚ୍ଚ ସରକାର ବହନ କରୁଥିଲେ । ତଥାପି ପ୍ରଶିକ୍ଷାର୍ଥୀଙ୍କ ଅଭାବ ଓ ଅଧାରୁ ତାଲିମ ଛାଡ଼ିବା ଯୋଗୁଁ ଏହି କେନ୍ଦ୍ରଗୁଡ଼ିକ ବନ୍ଦ ହୋଇଗଲା । କେବଳ ଏତିକି ନୁହେଁ, ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ତାଲିମ କାର୍ଯ୍ୟକ୍ରମରେ ୪୦ଟି ସିଟ୍ ଥିବାବେଳେ ମାତ୍ର ୧୪ ଜଣ ନାମ ଲେଖାଇଥିଲେ । ସେହିପରି ନାନୋ ୟୁନିକର୍ଣ୍ଣ ଯୋଜନାରେ ୩୫ ଜଣଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଜଣପିଛା ଏକ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦିଆଯାଇଥିଲା । କିନ୍ତୁ ବର୍ଷେରୁ ଅଧିକ ସମୟ ବିତିଥିଲେ ମଧ୍ୟ ଅଧିକାଂଶ ହିତାଧିକାରୀଙ୍କ ଅଗ୍ରଗତି ସମ୍ପର୍କରେ ସୂଚନା ମିଳିନାହିଁ । ଫେସନ ଡିଜାଇନିଂ ତାଲିମ ଯୋଜନା ମଧ୍ୟ ଆଶାନୁରୂପ ସଫଳତା ପାଇନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଅଧିକ ରୋଜଗାରର ଆଶାରେ ଦଲାଲ ଓ ସର୍ଦ୍ଦାରଙ୍କ ପ୍ରଲୋଭନରେ ପଡ଼ି ଯୁବକଯୁବତୀ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ତେବେ ଏଥିପାଇଁ କେବଳ ଯୁବଗୋଷ୍ଠୀଙ୍କ ଅନାଗ୍ରହ ଦାୟୀ ନା ତାଲିମ ପ୍ରଦାନକାରୀ ସଂସ୍ଥା ଓ ପ୍ରଶାସନର ତଦାରଖରେ ମଧ୍ୟ ତ୍ରୁଟି ରହିଛି, ତାହା ଏବେ ବଡ଼ ପ୍ରଶ୍ନ । ଯୁବପିଢ଼ିଙ୍କୁ ଦକ୍ଷତାଭିତ୍ତିକ ତାଲିମ ପ୍ରତି ଆକୃଷ୍ଟ କରିବା ସହ ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ଓ ନିୟମିତ ତଦାରଖ ଜରୁରୀ ବୋଲି ମତ ଦେଇଛି ବଲାଙ୍ଗିର ସ୍ୱାଭିମାନ ମଞ୍ଚ । ନଚେତ୍ ଦକ୍ଷତା ବିକାଶର ସୁଯୋଗ ଥାଇ ମଧ୍ୟ ବଲାଙ୍ଗିରର ଯୁବଗୋଷ୍ଠୀ ଦାଦନ ଯନ୍ତ୍ରଣାରୁ ମୁକ୍ତି ପାଇବା କଷ୍ଟକର ହୋଇପଡ଼ିବ ।

Leave A Reply

Your email address will not be published.