jayashree

ମୁଣ୍ଡପଦର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପିଏମ୍‌ଶ୍ରୀ ଏବଂ ଶକ୍ତିକ୍ଲବ ପ୍ରଦର୍ଶନୀ

  • କୁନି ବୈଜ୍ଞାନିକ ମାନଙ୍କ ନୂତନ ଚିନ୍ତାଧାରା ଓ ଉଦ୍ଭାବନୀ ଶକ୍ତିର ନିଦର୍ଶନ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : କୁନି ବୈଜ୍ଞାନିକ ମାନଙ୍କ ନୂତନ ଚିନ୍ତାଧାରା ଓ ଉଦ୍ଭାବନୀ ଶକ୍ତିର ନିଦର୍ଶନ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ମୁଣ୍ଡପଦର ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ଏହି ଭବ୍ୟ ଜ୍ଞାନ-ବିଜ୍ଞାନର ମହାକୁମ୍ଭ ବେଶ୍ ଉତ୍ସାହ ଓ ଉଦ୍ଦୀପନାର ସହ ସମ୍ପନ୍ନ ହୋଇଯାଇଛି । ଆୟୋଜିତ ଉଦ୍‌ଘାଟନୀ ଉତ୍ସବର ଏହି ସାରସ୍ୱତ ଓ ବୈଜ୍ଞାନିକ ସମାରୋହରେ ବିଇଓଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତିର ବିକାଶ ହିଁ ସମାଜକୁ ପ୍ରଗତି ପଥରେ ଆଗେଇ ନେବ ବୋଲି ସେ ମତବ୍ୟକ୍ତ କରିଥିଲେ । ସମ୍ମାନନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ବଙ୍ଗୋମୁଣ୍ଡା ଥାନା ଅଧିକାରୀ ସଞ୍ଜୀବ ପ୍ରଧାନ, ମୁଣ୍ଡପଦର ସରପଞ୍ଚ ରାଧାକାନ୍ତ ବେହେରା, ମୁଣ୍ଡପଦର ସମିତି ସଭ୍ୟ ନୀଳକଣ୍ଠ ବାରିକ, ସମାଜସେବୀ ଘାସୀ ସାହୁ, ଝରିଆଲ ସମିତି ସଭ୍ୟ ରାଜୁ ହାତୀ, ମୁଣ୍ଡପଦର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜଳି ସୁନା, ବ୍ଲକ ବିଜ୍ଞାନ ସଂଯୋଜକ ଶୁଭ୍ରଜିତ ମିଶ୍ର ପ୍ରମୁଖ ମଞ୍ଚାସୀନ ରହି କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମୁଣ୍ଡପଦର ସିଆରସିସି ଖୁସିରାମ କାଣ୍ଡ ମଞ୍ଚ ପରିଚାଳନା କରିଥିଲେ । ଦ୍ଵିତୀୟ ଅଧିବେଶନର ଉଦ୍‌ଯାପନୀ ଉତ୍ସବରେ ବଙ୍ଗୋମୁଣ୍ଡା ବିଇଓ କାହ୍ନୁଚରଣ ନାୟକଙ୍କ ସଭାପତିତ୍ୱରେ ମୁଖ୍ୟବକ୍ତା ଭାବେ ଖଡ଼ିଆଳ ଗାନ୍ଧୀ ଗ୍ରୁପ ଅଫ ଇନଷ୍ଟିଚୁସନର ଅଧ୍ୟକ୍ଷ ଡ. ତରୁଣ କୁମାର ପ୍ରଧାନ, ସମ୍ମାନନୀୟ ଅତିଥି ରୂପେ ଭୀମ ଭୋଇ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ ମିଶ୍ର, ଜାମଖୁଣ୍ଟା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗଣପତି ସାହୁ, ବଙ୍ଗୋମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି କୋଶରାଜ ବେହେରା, ବଙ୍ଗୋମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଜୟନ୍ତିଲାଲ ସାହୁ, ବ୍ଲକ ଓଷ୍ଟାର ସମ୍ପାଦକ ଅନୁପ କୁମାର ବାଗ, ବ୍ଲକ ବିଜ୍ଞାନ ସଂଯୋଜକ ଶୁଭ୍ରଜିତ ମିଶ୍ର, ଅଜିତ ଭାଟି ପ୍ରମୁଖ ମଂଚାସୀନ ଥିଲେ । ଏହି ପ୍ରଦର୍ଶନୀରେ ସମଗ୍ର ବ୍ଲକରୁ ମୋଟ ୧୫୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ସମସ୍ତ କୁନି ପ୍ରତିଭା ଅଂଶଗ୍ରହଣ କରି ନିଜର ଦକ୍ଷତା ପ୍ରତିପାଦନ କରିଥିଲେ । ଏଥିମଧ୍ୟରେ ପ୍ରାଥମିକ ବିଭାଗ, ବାଲ୍ ବୈଜ୍ଞାନିକ ବିଭାଗ, ପିଏମ୍ ଶ୍ରୀ ବିଭାଗ ଏବଂ ଶକ୍ତି କ୍ଲବ୍ ବିଭାଗର ପ୍ରକଳ୍ପ ଗୁଡିକ ପଞ୍ଜୀକରଣ ହୋଇଥିଲା । ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନେ ମୁଖ୍ୟତଃ ୭ଟି ଉପ-ବିଷୟ ଉନ୍ନତ ଜୀବନ ପାଇଁ କୃତ୍ରିମ ବୁଦ୍ଧିମତ୍ତା, ସବୁଜ ଶକ୍ତି ଓ ପରିବେଶ ସଂରକ୍ଷଣ, ଗାଣିତିକ ମଡେଲିଂ ଓ ଗଣନାତ୍ମକ ଚିନ୍ତନ, ସ୍ୱାସ୍ଥ୍ୟ-ସ୍ୱଚ୍ଛତା ଓ ପରିମଳ, ପାରମ୍ପରିକ କୃଷି ପଦ୍ଧତି, ବିଜ୍ଞାନ ଓ ଗ୍ରାମୀଣ ରୂପାନ୍ତରଣ ଓ ବିପର୍ଯ୍ୟୟ ପରିଚାଳନା ଆଧାରିତ ବିଭିନ୍ନ ଆକର୍ଷଣୀୟ ତଥା ସମାଜ ଉପଯୋଗୀ ପ୍ରକଳ୍ପ ପ୍ରଦର୍ଶନ କରି ଅତିଥି ଓ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଚାରକ ମଣ୍ଡଳୀଙ୍କ ଦ୍ୱାରା ମୂଲ୍ୟାଙ୍କନ ପରେ ପ୍ରତ୍ୟେକ ଉପ-ବିଷୟରୁ ଶ୍ରେଷ୍ଠ ବିବେଚିତ ହୋଇଥିବା ମୋଟ ୭ଟି ପ୍ରକଳ୍ପକୁ ଚୟନ କରାଯାଇ ଆଗାମୀ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀ ପାଇଁ ପ୍ରେରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଞ୍ଜଳି ସୁନା, ଦେବଜାନୀ ତାଣ୍ଡି, ପ୍ରସନ୍ନ କୁମାର ସାହୁ, କୌଶଲ୍ୟା ଦୀପ, ଦୀପାଞ୍ଜଳି ଭୋଇ, ଅଜିତ ଭାଟି, ଶୋଭାମୟୀ ସୁନା, ସୁଶାନ୍ତ କୁମାର ସାହୁ, କରିସ୍ମା ବଗର୍ତ୍ତି ସହଯୋଗ କରିଥିଲେ । ଏହି ଅବସରରେ ବ୍ଲକ୍‌ର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ, ପଞ୍ଚାୟତ ପ୍ରତିନିଧି, ବିଦ୍ୟାଳୟ କର୍ମଚାରୀ ଓ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.