
- ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ରୋମାଞ୍ଚକର ମୁକାବିଲା, ଶେଷ ଦିନରେ ଓଡ଼ିଶାର ବିଜୟ ଆଶା
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ଅଣ୍ଡର-୧୯ କୂଚବିହାର ଟ୍ରଫିର ଓଡ଼ିଶା ଓ ଗୋଆ ମଧ୍ୟରେ ମୁକାବିଲାର ତୃତୀୟ ଦିବସ ଖେଳ ଶେଷ ହୋଇଛି । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଓଡ଼ିଶା ଦଳ ଆଗରେ ଗୋଆକୁ ୧୯୪ ରନ୍ର ବିଜୟ ଲକ୍ଷ୍ୟ ରହିଛି । ଶେଷ ଦିନର ଖେଳକୁ ନେଇ ମ୍ୟାଚ୍ରେ ରୋମାଞ୍ଚ ବଢ଼ିଛି । ଓଡ଼ିଶା ଦଳ ନିଜର ପ୍ରଥମ ଇନିଂସରେ ୯୪ ଓଭର ଖେଳି ୧୮୭ ରନ୍ରେ ସମସ୍ତ ୱିକେଟ ହରାଇଥିଲା । ଦଳ ପକ୍ଷରୁ ବେଦାନ୍ତ ଭି. ଦେବହାଡେ ୪୧ ରନ୍ ଏବଂ ଆଦିତ୍ୟ ଆନନ୍ଦ ୪୦ ରନ୍ କରି ଦଳର ସ୍କୋରକୁ ଆଗକୁ ବଢ଼ାଇଥିଲେ । ଗୋଆ ପକ୍ଷରୁ ଚିଗୁରୁପତି ଭେଙ୍କଟ ୪ଟି ଏବଂ ଶାମିକ କାମତ ୩ଟି ୱିକେଟ ହାସଲ କରିଥିଲେ । ଏହାପରେ ଗୋଆ ଦଳ ନିଜର ଇନିଂସରେ ୪୩.୩ ଓଭର ଖେଳି ୧୨୯ ରନ୍ରେ ସମସ୍ତ ଉଇକେଟ ହରାଇଥିଲା । ଗୋଆ ପକ୍ଷରୁ ମୋହିତ ଯାଦବ ୪୧ ରନ୍, ପ୍ରୟାଣ ପ୍ରାନ୍ତିକ ସାମଲ ୩୯ ରନ୍ ଏବଂ ଆଦିତ୍ୟ ଆର୍. କେ. ୨୨ ରନ୍ କରିଥିଲେ । ଓଡ଼ିଶା ପକ୍ଷରୁ କମଳେଶ ପାତ୍ର ୩ଟି ଏବଂ ରାଜ୍ ଯାଦବ ୩ଟି ୱିକେଟ ନେଇ ଗୋଆ ଇନିଂସକୁ ସୀମିତ ରଖିଥିଲେ । ଏହି ମୁକାବିଲାରେ ଗୋଆର ଇନିଂସ ଶେଷ ହେବା ପରେ ଓଡ଼ିଶା ଦଳ ଆଗରେ ୧୯୩ ରନ୍ର ବିଜୟ ଲକ୍ଷ୍ୟ ରହିଛି । ମ୍ୟାଚ୍ର ଶେଷ ଦିନରେ ଏହି ଲକ୍ଷ୍ୟ ହାସଲ କରି ଓଡ଼ିଶା ବିଜୟୀ ହେବା ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ରହିଛି । ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ଏହି ଯୁବ କ୍ରିକେଟ୍ ମୁକାବିଲାର ଶେଷ ଦିନ ଖେଳ ଉପରେ ସମସ୍ତଙ୍କ ନଜର ରହିଛି ।