
- ଲୋକକଳାକାରଙ୍କୁ ସମାନ ସୁଯୋଗ ଓ ସ୍ୱତନ୍ତ୍ର ଅନୁଦାନ ଦାବି
- ଜିଲ୍ଲାପାଳଙ୍କ ଆଶ୍ୱାସନ ପରେ ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ଆଶାବାଦୀ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଲୋକ ଉତ୍ସବ ଠିକ୍ ସମୟରେ ଆୟୋଜନ କରିବା ସହ ଜିଲ୍ଲାର ଗ୍ରାମାଞ୍ଚଳର ପ୍ରକୃତ ଲୋକକଳାକାରଙ୍କୁ ଉଚିତ ସୁଯୋଗ ଓ ସମ୍ମାନ ପ୍ରଦାନ କରିବାକୁ ଦାବି ହୋଇଛି । ଏନେଇ ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ସହ ଆଲୋଚନା କରାଯାଇଛି । କମିଟିର ସଭାପତି ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଲୋକ ଉତ୍ସବ ଆୟୋଜନରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ଓ ଅବ୍ୟବସ୍ଥା ସମ୍ପର୍କରେ ଅବଗତ କରିଥିଲେ । କମିଟିର ଅଭିଯୋଗ ଅନୁଯାୟୀ, ଲୋକ ଉତ୍ସବରେ ସହରର କେତେକ କଳାକାରଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବାରୁ ଗ୍ରାମାଞ୍ଚଳର ଅନେକ ପ୍ରତିଭାବାନ କଳାକାର ନିଜର କଳା ପ୍ରଦର୍ଶନରୁ ବଞ୍ଚିତ ହେଉଛନ୍ତି । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲାର କୋଣ ଅନୁକୋଣରୁ ଆସୁଥିବା କଳାକାରଙ୍କୁ ସମାନ ମଞ୍ଚ ଓ ସୁଯୋଗ ଦେବାକୁ କମିଟି ଦାବି କରିଛି । ୧୯୯୯ ମସିହାରେ ପ୍ରଥମେ ଆରମ୍ଭ ହୋଇଥିବା ବଲାଙ୍ଗିର ଲୋକ ଉତ୍ସବ ଧୀରେ ଧୀରେ ନିଜର ମୂଳ ଉଦ୍ଦେଶ୍ୟରୁ ଦୂରେଇ ଯାଉଥିବା କମିଟି ପକ୍ଷରୁ କୁହାଯାଇଛି । କଳାକାରଙ୍କ ଅପେକ୍ଷା ରାଜନୈତିକ ହସ୍ତକ୍ଷେପ ବଢ଼ୁଥିବାରୁ ଏହି ଉତ୍ସବର ଗୁରୁତ୍ୱ ହ୍ରାସ ପାଉଛି ବୋଲି ଅଭିଯୋଗ ହୋଇଛି । ଲୋକ ଉତ୍ସବ ଜନସାଧାରଣ ଓ ଲୋକକଳାକାରଙ୍କ ଉତ୍ସବ ହୋଇଥିବାରୁ ଏହାର ପରିଚାଳନା ଓ ନୀତିଗତ ନିଷ୍ପତ୍ତିରେ କଳାକାରଙ୍କୁ ଅଧିକ ଭୂମିକା ଦେବାକୁ କମିଟି ଆହ୍ୱାନ ଦେଇଛି । ଚଳିତ ବର୍ଷ ଲୋକ ଉତ୍ସବର ପ୍ରସ୍ତୁତି ଏପର୍ଯ୍ୟନ୍ତ ଆରମ୍ଭ ହୋଇନଥିବା ନେଇ ମଧ୍ୟ ଉଦ୍ବେଗ ପ୍ରକାଶ କରାଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିଷ୍ପତ୍ତି ଯୋଗୁଁ ଉତ୍ସବ ବିଳମ୍ବ ହେଉଥିବା କମିଟି ଅଭିଯୋଗ କରିଛି । ତରବରିଆ ଭାବେ ଆୟୋଜନ କରାଗଲେ ଗ୍ରାମାଞ୍ଚଳର ପ୍ରକୃତ କଳାକାରମାନେ ପୁଣିଥରେ ଅବହେଳିତ ହେବାର ଆଶଙ୍କା ରହିଛି । ତେଣୁ ଉତ୍ସବ ପୂର୍ବରୁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରି ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଓ ତାରିଖ ଘୋଷଣା କରିବାକୁ ଦାବି ହୋଇଛି । ଏହା ସହ ରାଜ୍ୟ ସରକାର ବଲାଙ୍ଗିର ଲୋକ ଉତ୍ସବ ପାଇଁ ସ୍ୱତନ୍ତ୍ର ଅନୁଦାନ ଘୋଷଣା କରିବାକୁ କମିଟି ଦାବି କରିଛି । ଉତ୍ସବ ପାଇଁ ମିଳୁଥିବା ଅର୍ଥର ସଠିକ୍ ପରିଚାଳନା ଓ ଉପଯୁକ୍ତ ଖର୍ଚ୍ଚ ନିଶ୍ଚିତ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କରାଯାଇଛି । ବଲାଙ୍ଗିର ସହରର କୋଶଲ କଳାମଣ୍ଡଳ ପଡ଼ିଆ ଲୋକକଳାକାରଙ୍କ ପାଇଁ ଏକ ପ୍ରମୁଖ ମଞ୍ଚ ହୋଇଥିବାରୁ ଏଠାରେ ଆୟୋଜିତ ଲୋକ ଉତ୍ସବ ଜିଲ୍ଲାର କଳା, ସଂସ୍କୃତି ଓ ଐତିହ୍ୟକୁ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ କରିବାରେ ସହାୟକ ହେବ ବୋଲି କମିଟି ମତ ଦେଇଛି । ଆଗାମୀ ଦିନରେ ବିଭିନ୍ନ ସ୍କୁଲ ଓ କଲେଜର ବାର୍ଷିକ ପରୀକ୍ଷା ହେବାକୁ ଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ପରୀକ୍ଷାକୁ ଦୃଷ୍ଟିରେ ରଖି ଉତ୍ସବ ଠିକ୍ ସମୟରେ ଆୟୋଜନ କରିବାକୁ ମଧ୍ୟ ଦାବି କରାଯାଇଛି । କମିଟିର ଦାବି ଓ ସମସ୍ୟାଗୁଡ଼ିକ ଶୁଣିବା ପରେ ଜିଲ୍ଲାପାଳ ଇସଲୱାର ସେଗୁଡ଼ିକୁ ଗୁରୁତ୍ୱର ସହ ଗ୍ରହଣ କରିଥିଲେ । ଆଲୋଚନାରେ ଉଠିଥିବା ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କମିଟିକୁ ଆଶ୍ୱାସନା ଦେଇଥିଲେ । ଆଲୋଚନା ସମୟରେ କମିଟିର ସମ୍ପାଦକ ପ୍ରଶାନ୍ତ ମହାକୁର, ଭବାନୀ ଶଙ୍କର ଭୋଇ, ଶମ୍ଭୁ ପ୍ରସାଦ ଶତପଥୀ ଓ ବିଭୁ କଲ୍ୟାଣ ଗଡ଼ତ୍ୟା ଉପସ୍ଥିତ ଥିଲେ ।