
ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ରାଧାକୃଷ୍ଣ ବାଳିକା ଉଚ୍ଚ ବିଦ୍ୟାଳୟ ଡୁଙ୍ଗୁରିପାଲି ଠାରେ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କର ପ୍ରଥମ ମାସିକ ବୈଠକ ପ୍ରଧାନ ଶିକ୍ଷକ ସୁବାସ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଡୁଙ୍ଗୁରିପାଲି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଗଣେଶ କିଶାନ ମୁଖ୍ୟଅତିଥି ଭାବରେ ଯୋଗଦେଇ ମାଧ୍ୟମିକ ଶିକ୍ଷା ପିଲାମାନଙ୍କର ଜୀବନ ଗଠନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଳାଇଥାଏ ବୋଲି ମତ ପ୍ରକାଶ କରିଥିଲେ । ଡୁଙ୍ଗୁରିପାଲି ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟବାନ କୁଅଁର, ଲିଙ୍ଗମାର୍ଣି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନାତନ ବେହେରା, ଭୀମଟିକିରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୀରେନ୍ଦ୍ର ସାହୁ ମଞ୍ଚାସୀନ ହୋଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଗଣିତ ଶିକ୍ଷକ ଶ୍ରୀକୁମାର ପଟେଲ୍ ସଭା ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ସୁନାପାଲୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳକାନ୍ତ ବେହେରା, ମାୟାବର୍ହା ହାଇସ୍କୁଲର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଆଗକୁ କିପରି ଅଧିକ ଛାତ୍ରଛାତ୍ରୀ ଦଶମ ବାର୍ଷିକ ପରୀକ୍ଷାରେ ଉନ୍ନତି କରିପାରିବେ ଆଲୋଚନା କରିଥିଲେ । ଏହା ସହିତ ସମସ୍ତ ପ୍ରଧାନ ଶିକ୍ଷକ ବିଦ୍ୟାଳୟର ସ୍ମାର୍ଟ ଶ୍ରେଣୀଗୃହ, କମ୍ପ୍ୟୁଟର ଶ୍ରେଣୀ, ବିଦ୍ୟାଳୟ ପରିସର, ବିଜ୍ଞାନାଗାର ତଥା ପିଲାମାନଙ୍କର ଖେଳ କାର୍ଯ୍ୟକ୍ରମ ଅନୁଧ୍ୟାନ କରିଥିଲେ । ଆସନ୍ତା ମାସରେ ପ୍ରଧାନଶିକ୍ଷକଙ୍କ ବୈଠକ ଅନୁଷ୍ଠିତ ହେବାକୁ ଥିବା ଇଚ୍ଛାପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ମେହେର ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ରେବତୀ ଯୋଶୀ, ଅନୁପ୍ରିୟା ମିଶ୍ର, ପଦ୍ମିନୀ ସାହୁ ବ୍ଲକର ସମସ୍ତ ପ୍ରଧାନ ଶିକ୍ଷକ, ଗୋଷ୍ଠୀ ଶିକ୍ଷଧିକାରୀ କାର୍ଯ୍ୟାଳୟର କର୍ମଚାରୀ ଓ ବିଦ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ ।