jayashree

ଦାମୀ କାର୍‌ରେ ଗଞ୍ଜେଇ ଚାଲାଣ, ଦୁର୍ଘଟଣା ପରେ ଡ୍ରାଇଭର ଫେରାର

  • ୧ କ୍ୱିଣ୍ଟାଲ ୨୪ କେଜି ଗଞ୍ଜେଇ ଜବତ, ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦାମୀ କାର୍‌ରେ ଚାଲିଥିଲା ଗଞ୍ଜେଇ ଚାଲାଣ। ହେଲେ ଅବକାରୀ ବିଭାଗର ଚଢ଼ାଉ ଦେଖି ଖସିଯିବାକୁ ଉଦ୍ୟମ କରି ଦୁର୍ଘଟଣାର ଶିକାର ହେଲା କାର୍‌। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ କାର୍‌ ଭିତରୁ ଜବତ ହୋଇଛି ୧ କ୍ୱିଣ୍ଟାଲ ୨୪ କେଜି ଗଞ୍ଜେଇ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ତେଲନଦୀ ଛକ ନିକଟରେ ଏହି ଘଟଣା ଘଟିଛି। ତେଲଙ୍ଗାନା ରାଜ୍ୟର ନମ୍ବର ଥିବା ହୁଣ୍ଡାଇ ଭେର୍‌ନା କାର୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ଗୁପ୍ତ ସୂଚନା ମିଳିଥିଲା। ଏହାକୁ ଆଧାର କରି ଅବକାରୀ ସ୍ପେଶାଲ ଟିମ୍‌ ଯୋଜନା ମୁତାବକ ତେଲନଦୀ ଛକ ନିକଟରେ ଛକି ବସିଥିଲା। ସୂଚନା ଅନୁସାରେ, ସନ୍ଦିଗ୍ଧ କାର୍‌ଟି ସେଠାରେ ପହଞ୍ଚିବା ପରେ ଅବକାରୀ ଟିମ୍‌କୁ ଦେଖି ହଠାତ୍‌ ଦିଗ ବଦଳାଇ ଦ୍ରୁତଗତିରେ ଖସିଯିବାକୁ ଚେଷ୍ଟା କରିଥିଲା। ଏହାପରେ ସ୍ପେଶାଲ ଟିମ୍‌ କାର୍‌ଟିକୁ ପିଛା କରିଥିଲା। ତେବେ ଘନ କୁହୁଡ଼ି ମଧ୍ୟରେ ଦ୍ରୁତଗତିରେ ଯାଉଥିବା କାର୍‌ଟି ରାସ୍ତାକଡ଼ର ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ କାର୍‌ରେ ଥିବା ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଅବକାରୀ ବିଭାଗର ସ୍ପେଶାଲ ଟିମ୍‌ କାର୍‌ଟିକୁ ଯାଞ୍ଚ କରିବା ପରେ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲା। ଗଞ୍ଜେଇ ସହ କାର୍‌କୁ ମଧ୍ୟ ଜବତ କରାଯାଇଛି। ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ଅର୍ଣ୍ଣପୂର୍ଣ୍ଣା ରଥ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ପ୍ରାଥମିକ ତଦନ୍ତରୁ ଗଞ୍ଜେଇ କନ୍ଧମାଳ ଅଞ୍ଚଳରୁ ତେଲଙ୍ଗାନାକୁ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି। ତେବେ ଏହି ଗଞ୍ଜେଇ ଚାଲାଣ ପଛରେ କିଏ କିଏ ସମ୍ପୃକ୍ତ, ଫେରାର ଡ୍ରାଇଭରର ପରିଚୟ କ’ଣ ଏବଂ ତାଙ୍କ ଘର କେଉଁଠି, ସେନେଇ ଅବକାରୀ ବିଭାଗ ତଦନ୍ତ ଜାରି ରଖିଛି। ଚାଲାଣ ରାକେଟ୍‌ର ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ମଧ୍ୟ ତଦନ୍ତ ଚାଲିଥିବା ସୁପରିଣ୍ଟେଣ୍ଡେଣ୍ଟ ଅର୍ଣ୍ଣପୂର୍ଣ୍ଣା ରଥ ସୂଚନା ଦେଇଛନ୍ତି।

Leave A Reply

Your email address will not be published.