
- ‘ପ୍ରତ୍ୟେକ ମହିଳାଙ୍କ ପାଇଁ ନ୍ୟାୟର ସୁଗମ ଉପଲବ୍ଧତା’ ଅଭିଯାନର ମୁଖ୍ୟ ଆଭିମୁଖ୍ୟ
ବାରିପଦା, (ଦେବସ୍ମିତା ଚୌଧୁରୀ) : ମହିଳା ଓ ବାଳିକାଙ୍କ ପ୍ରତି ଲିଙ୍ଗଭିତ୍ତିକ ହିଂସା, ନିର୍ଯ୍ୟାତନା ଓ ଭେଦଭାବର ଅବସାନ ସହ ସେମାନଙ୍କ ଅଧିକାର, ସୁରକ୍ଷା ଓ ନ୍ୟାୟ ପ୍ରାପ୍ତି ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ୧୬ ଦିନିଆ ଜିଲ୍ଲାବ୍ୟାପୀ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନର ଶୁଭାରମ୍ଭ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ । ଉକ୍ତ ରାଲିଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଷ୍ଟାଡିୟମ ଛକ ଦେଇ ପୁନର୍ବାର ସେଠାରେ ପହଞ୍ଚିଥିଲା । ଏହି ଅଭିଯାନର ମୁଖ୍ୟ ବାର୍ତ୍ତା ‘ପ୍ରତ୍ୟେକ ମହିଳାଙ୍କ ପାଇଁ ନ୍ୟାୟର ସୁଗମ ଉପଲବ୍ଧତା’ । ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର ଓ ଶକ୍ତି ସଦନର କର୍ମଚାରୀ, ବାରିପଦା କଲେଜ ଓ ଶ୍ରୀମା ମହିଳା ମହାବିଦ୍ୟାଳୟର ଛାତ୍ରୀ ତଥା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାମାନେ ଯୋଗଦେଇଥିଲେ । ଅଂଶଗ୍ରହଣକାରୀମାନେ ସଚେତନତାମୂଳକ ପ୍ଲାକାର୍ଡ ପ୍ରଦର୍ଶନ କରିବା ସହ ମହିଳା ଓ ବାଳିକାଙ୍କ ପ୍ରତି ହିଂସା, ନିର୍ଯ୍ୟତାନା ଓ ଲିଙ୍ଗଗତ ଭେଦଭାବ ବିରୋଧରେ ସ୍ଲୋଗାନ ଦେଇଥିଲେ । ଏହା ମାଧ୍ୟମରେ ମହିଳା ଓ ବାଳିକାଙ୍କୁ ହିଂସାରୁ ସୁରକ୍ଷା, ଆଇନଗତ ସହାୟତା ଓ ଉପଲବ୍ଧ ସୁରକ୍ଷା ସେବା ସମ୍ପର୍କରେ ସଚେତନ କରିବା ସହ ଲିଙ୍ଗଭିତ୍ତିକ ହିଂସାର ପ୍ରତିରୋଧ ଓ ନିରାକରଣ ସମ୍ପ ବାର୍ତ୍ତା ପ୍ରଦାନ କରାଯାଇଛି । ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଓ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଂଯୁକ୍ତା ମହାରଣା ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ ରାଲି ଆୟୋଜନ ହୋଇଛି । ଅଭିଯାନ ଅବଧିରେ ଜିଲ୍ଲା, ବ୍ଲକ ଓ ଗ୍ରାମ ପଞ୍ଚାୟତ ସ୍ତରରେ ବିଭିନ୍ନ ସଚେତନତାମୂଳକ ଓ ଜନଭାଗିଦାରି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ରାଲିରେ ଜିଲ୍ଲା ସୁରକ୍ଷା ଅଧିକାରୀ ସସ୍ମିତା ମହାନ୍ତି, ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର ଜିଲ୍ଲା ସଂଯୋଜକ, ଆଦ୍ଭିକାର ଜିଲ୍ଲା ସଂଯୋଜକ, ୱାନ୍ ଷ୍ଟପ୍ ସେଣ୍ଟରର ସଂଯୋଜକମାନେ ସକ୍ରିୟ ଅଂଶଗ୍ରହଣ କରି ରାଲିକୁ ସଫଳ କରିଥିଲେ ।