jayashree

୬୩ ତମ ବାଳକ ଭୋଜନ ଓ ରାଜ୍ୟସ୍ତରୀୟ ନୌକା ଚାଳନା ପ୍ରତିଯୋଗିତା ଅନୁଷ୍ଠିତ

  • ଏହା ସଂସ୍କୃତି ଓ ପରମ୍ପରାର ଏକ ଅନନ୍ୟ ନିଦର୍ଶନ : ଜିଲ୍ଲାପାଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୋନପୁର ତେନ୍ତୁଳିଘାଟ ଭଗବତ୍ ପାଠାଗାର ପକ୍ଷରୁ ୬୩ ତମ ରାଜ୍ୟ ସ୍ତରୀୟ ନୌକା ଚାଳନା ପ୍ରତିଯୋଗିତା ଓ ବାଳକ ଭୋଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅତୀତର ନୌବାଣିଜ୍ୟ ସ୍ମୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ସହ ଓଡ଼ିଶାର ବଣିକ ପୁଅ ଓ ନାବିକ ମାନଙ୍କ ଦକ୍ଷତା ଓ କୌଶଳକୁ ପ୍ରମାଣ କରେ ନୌକା ଚାଳନା ପ୍ରତିଯୋଗିତା । ଏଥିରୁ ବାଦ୍ ପଡ଼ିନି ଐତିହାସିକ ଓ ପର୍ଯ୍ୟଟନ ସହର ସୁବର୍ଣ୍ଣପୁର । ୭ଗୋଟି ଜିଲ୍ଲାରୁ ୬୦ ଯୋଡ଼ି ସମୁଦାୟ ୧୨୦ ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଥିବା ବେଳେ ପ୍ରଥମେ ୫ ଗୋଟି ରାଉଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେଥିରୁ ୧୦ ଗୋଟି ଯୋଡ଼ିଙ୍କୁ ଫାଇନାଲ୍ ରାଉଣ୍ଡ୍ ପାଇଁ ମନୋନୀତ କରାଯାଇଥିଲା । ଶେଷ ରାଉଣ୍ଡରେ ୧୦ଟି ଯୋଡ଼ିଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାରେ ପ୍ରଥମ ବିଜେତା ହୋଇଥିଲେ ସମ୍ବଲପୁର ଜିଲ୍ଲାର ବିଶ୍ୱନାଥ ଦଣ୍ଡସେନା ଓ ବିକାଶ ସାହୁ । ଦ୍ୱିତୀୟ ବିଜେତା ହେଲେ ସୁବର୍ଣ୍ଣପୁରର ସୁଜିତ ତରିଆ ଓ ଅଭି ବେହେରା ଏବଂ ତୃତୀୟ ବିଜେତା ହେଲେ ବୌଦ୍ଧ ଜିଲ୍ଲାର ସତ୍ୟ ନାରାୟଣ ବେହେରା ଓ ରାଜୀବ ଭୁକ୍ତା । ଆଜି ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଦେବାଶିଷ ସିଂ ଯୋଗ ଦେଇ ଏହି ଐତିହାସିକ ତେନ୍ତୁଳିଘାଟ ଓ ଲଙ୍କେଶ୍ୱରୀ ପୀଠର ବିକାଶ ସହିତ ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ପ୍ରୟାସ ଜାରି ରହିବ ବୋଲି କହିଥିଲେ ଓ ଏଠାକାର ଭବ୍ୟ ଧର୍ମଶାଳାକୁ ପୁନରୁଦ୍ଧାର କରାଯିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଏସ୍‌ପି ନାରାୟଣ ନାଏକ, ଏଡିଏମ୍ ଅନିରୁଦ୍ଧ ପ୍ରଧାନ, ଉପ ଜିଲ୍ଲାପାଳ ଡ. ସୌମ୍ୟରୂପା ରଥ, ସମାଜସେବୀ ଗୋବିନ୍ଦ ମହାରଣା, ଶ୍ରୀବତ୍ସ ମଲ୍ଲିକ, ପ୍ରାକ୍ତନ ଅଧ୍ୟକ୍ଷ ପ୍ରକାଶ ସାହୁ, ସମାଜସେବୀ ଅରବିନ୍ଦ ବାରିକ, ବିଜେପି ନେତା ସାନନ୍ଦ ବାରିକ, ଯୁବନେତା ଅମୀୟ ରଞ୍ଜନ ଦାଶ ଯୋଗ ଦେଇ ଜିଲ୍ଲାପାଳଙ୍କ ସମେତ ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ସଭା ସଂଯୋଜନା କରିଥିବା ବେଳେ ଭାଗବତ ପାଠାଗାର ସମ୍ପାଦକ ପବିତ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କୁନୁ ବେହେରା ଅତିଥିଙ୍କୁ ସ୍ୱାଗତ କରି ସଭା ସାଙ୍ଗ କରିଥିଲେ । ସକାଳ ୧୧.୩୦ ଟା ବେଳେ ସାମୂହିକ ବାଳକ ଭୋଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀ ସିଂ ଉଦ୍‌ଘାଟନ କରିଥିବା ବେଳେ ଏଥିରେ ୫ ହଜାରରୁ ଊର୍ଦ୍ଧ୍ୱ ବାଳକ ବାଳିକା ଯୋଗ ଦେଇ ପ୍ରସାଦ ସେବନ କରିଥିଲେ । ଜିଲ୍ଲାପାଳ ଓ ଏଡିଏମ୍‌ ନିଜେ ଛୋଟ ଛୁଆ ମାନଙ୍କୁ ମିଠା ବାଣ୍ଟିଥିଲେ । ହଜାର ହଜାର ବାଳକ ଭୋଜନ କରିବା ଦୃଶ୍ୟ ଦେଖି ଜିଲ୍ଲାପାଳ ଖୁସି ବ୍ୟକ୍ତ କରି କହିଥିଲେ, ଏହା ସୁବର୍ଣ୍ଣପୁରର ସଂସ୍କୃତି ଓ ପରମ୍ପରାର ଏକ ଅନନ୍ୟ ନିଦର୍ଶନ। ଜିଲ୍ଲାପାଳ ଆୟୋଜକ ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ନୌକା ଚାଳନା ପ୍ରତିଯୋଗିତା ଓ ସନ୍ଧ୍ୟା ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ । କମିଟିର ସଭାପତି ମୁନା ବାରିକଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.