jayashree

ଗୋପବନ୍ଧୁ ଭବନରେ ମାସିକ ସନ୍ଥ ଦିବସ

  • ଉତ୍କୃଷ୍ଟ ସାହିତ୍ୟ ହିଁ ଉତ୍କର୍ଷ ସାହିତ୍ୟ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସାହିତ୍ୟ କେବଳ ମନୋରଞ୍ଜନ କିମ୍ବା ବିଳାସର ମାଧ୍ୟମ ନୁହେଁ, ବରଂ ଏହା ସମାଜର ପରିବର୍ତ୍ତନ ଓ ମାନବ ମୁକ୍ତିର ଏକ ଶକ୍ତିଶାଳୀ ମାଧ୍ୟମ । ସାହିତ୍ୟରେ ବଞ୍ଚିତ ଓ ଅବହେଳିତ ବର୍ଗଙ୍କ ସ୍ୱର ପ୍ରତିଫଳିତ ହେବା ସହ ସାମାଜିକ ସଂସ୍କାରର ବାର୍ତ୍ତା ରହିବା ଆବଶ୍ୟକ । ଏଭଳି ମତ ପ୍ରକାଶ ପାଇଛି ସଦ୍‌ଭାବନା ସମିତିର ୫୬୯ତମ ମାସିକ ସନ୍ଥ ଦିବସ କାର୍ଯ୍ୟକ୍ରମରେ । ଗୋପବନ୍ଧୁ ଭବନଠାରେ ଆୟୋଜିତ ଏହି ସଭାରେ ସମିତିର କୋଷାଧ୍ୟକ୍ଷ ସନ୍ଦୀପ କୁମାର ଚାନ୍ଦ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ସନ୍ଥ ନାନକ ଓ ସତ୍ୟସାଇ ବାବାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ଓଁକାର ପ୍ରତୀକ ନିକଟରେ ଗୀତା, ବାଇବେଲ ଓ କୋରାନ ପୂଜା କରାଯାଇଥିଲା । ‘ଏବେକାର ସାହିତ୍ୟ ସମାଜ ପାଇଁ ମଉଜ ମଜଲିସର ଉତ୍କଟ ଉପହାର’ ପ୍ରସଙ୍ଗରେ ଆଲୋଚନା କରି ସମିତିର ପ୍ରତିଷ୍ଠାତା ଧର୍ମରତ୍ନ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ କହିଥିଲେ, ବଞ୍ଚିତ ବର୍ଗଙ୍କ ଅଧିକାର ଓ ଦୁଃଖ ଦୁର୍ଦ୍ଦଶାକୁ ନେଇ ସଂଗ୍ରାମ କରୁନଥିବା ଲେଖା ପ୍ରକୃତ ସାହିତ୍ୟର ମର୍ଯ୍ୟାଦା ପାଇପାରିବ ନାହିଁ । ମୁଖ୍ୟ ଅତିଥି ଡ. ସୁଶୀଲ କୁମାର ବସା, ସମ୍ମାନିତ ଅତିଥି ଡ. ପୁଷ୍ପା ପାତ୍ର, ମୁଖ୍ୟବକ୍ତା ପଦ୍ମନାଭ ସାହୁଙ୍କ ସମେତ ଅନ୍ୟ ବକ୍ତାମାନେ ସାହିତ୍ୟର ବର୍ତ୍ତମାନ ସ୍ଥିତି ଓ ସାମାଜିକ ଦାୟିତ୍ୱ ଉପରେ ମତ ରଖିଥିଲେ । ଏହି ଅବସରରେ ପ୍ରତିଷ୍ଠାତାଙ୍କ ନବପ୍ରକାଶିତ ‘ମାନବ ଧର୍ମ (ଜାଣିବା-ଜିଣିବା)’ ପୁସ୍ତକର ମାନବ ଧର୍ମ ବିଭାଗ ଉପରେ ଆଲୋଚନା କରାଯାଇଥିଲା । ସମ୍ପାଦକ ମାନସ ରଞ୍ଜନ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ମାମୁନୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.