jayashree

ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏସ୍‌ପିଙ୍କ ସହ ଆଲୋଚନା କଲେ ନରସିଂହ ଓ ନାଗରିକ ସମାଜ

  • ଲୋକଙ୍କ ଧନଜୀବନ ସୁରକ୍ଷା, ଡ୍ରଗ୍ସ ବ୍ୟପାରୀଙ୍କ ଧରପଗଡ଼, ପିସିଆର୍‌ ତଥା ବାଇକ ପେଟ୍ରୋଲିଂ ବଢାଇବା ଉପରେ ଗୁରୁତ୍ୱ
  • ଅସମାଜିକ ତତ୍ୱ ଓ ଦୁର୍ନିତିଖୋରଙ୍କୁ ସାବାଡ କରାଯିବାର ଏସ୍‌ପି ଦେଲେ ପ୍ରତିଶୃତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ରଙ୍କ ନେତୃତ୍ୱରେ ବଲାଙ୍ଗିରର ବିଭିନ୍ନ ଅଗ୍ରଣୀ ସଂଗଠନର ନେତୃବୃନ୍ଦମାନେ ବଲାଙ୍ଗିରରେ ବିଗିଡିଯାଉଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜିଙ୍କ ସହ ଆଲୋଚନା କରିଛନ୍ତି । ବିଶେଷ କରି ବର୍ତ୍ତମାନ ନିଶାଯୁକ୍ତ କଫସିିରଫ, ଡ୍ରଗ୍ସ, ନକଲି ମଦ ଯୋଗୁଁ ସହର ମଧ୍ୟରେ ଅସମାଜିକ କାର୍ଯ୍ୟକଳାପ ବଢିଯାଉଥିବା ଦେଖିବାକୁ ମିଳୁଛି । ତା ସହ ଜମି ମାଫିଆ, ଚୋରି ରାହାଜାନି, ଡକାୟତି ମଧ୍ୟ ସହର ମଧ୍ୟରେ ବଢୁଛି । ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଏବଂ ବେଆଇନ ପାର୍କିଂ ଯୋଗୁଁ ଘୋର ସମସ୍ୟାର ସମ୍ମୁଖିନ ହେଉଛନ୍ତି । ବିଶେଷ କରି ସହର ଉପାନ୍ତରେ ଯାଇଥିବା ରିଂଗ ରୋଡ ଏବଂ ବାଇପାସ ରାସ୍ତା ସନ୍ଧ୍ୟା ସମୟରେ ଅସମାଜିକ କାର୍ଯ୍ୟକଳାପ ବଢୁଥିବାରୁ ରାସ୍ତାରେ ଯାଉଥିବା ଲୋକେ ନିଜକୁ ନିରାପଦ ମନେ କରୁନାହାନ୍ତି । ସାଇବର କ୍ରାଇମ ଦ୍ୱାରା ମଧ୍ୟ ନୀରିହ ଜନସାଧାରଣ ନିଜ ବହୁ କଷ୍ଟ ଉପାର୍ଜିତ ଧନ ହରାଉଛନ୍ତି ଏହାକୁ ନେଇ ଯେତେ ଅଭିଯୋଗ କଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ପଂଚାୟତରୁ ଜିଲ୍ଲା ସ୍ତରୀୟ କାର୍ଯ୍ୟାଳୟ ମଧ୍ୟରେ ଯେଉଁଆଡେ ଦେଖିଲେ ଦୁର୍ନୀତି ହେଉଛି । ସ୍ପିଡ ବାଇକର ମାନଙ୍କ ଯୋଗୁଁ ରାସ୍ତାରେ ଯାଉଥିବା ସ୍କୁଲ ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧା ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି । ତେଣୁ ଏ ସବୁ ସମସ୍ୟା ସମାଧାନ ପାଇଁ ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ମିଶ୍ର ଏବଂ ନାଗରିକ ସମାଜର ଏକ ପ୍ରତିନିଧି ମଣ୍ଡଳି ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା କରିଥିଲେ । ସହର ମଧ୍ୟରେ କଫସିରଫ, ନକଲି ମଦ, ଡ୍ରଗ୍ସ ଯେପରି ପ୍ରବେଶ କରି ନ ପାରିବ ଏବଂ ଏସବୁରେ ସପୃକ୍ତ ବେପାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ସେ ଦିଗରେ ଆରକ୍ଷୀ ଅଧିକ୍ଷକ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ । ତା ସହ ପୋଲିସ ପେଟ୍ରୋଲିଂ ଏବଂ ଆଗରୁ ହେଉଥିବା ବାଇକ ପୋଲିସ ପେଟ୍ରୋଲିଂଙ୍କୁ ଆହୁରି ସୁଦୃଢ଼ କରାଗଲେ ଅସମାଜିକ କାର୍ଯ୍ୟକଳାପ ନିୟନ୍ତ୍ରଣକୁ ଆସିବ ବୋଲି ପ୍ରସ୍ତାବ ଦିଆଯାଇଥିଲା । ଆଣ୍ଟି ଡ୍ରଗ୍ସ ସଚେତନତା କାର୍ଯ୍ୟକ୍ରମ, ଏକ ନିର୍ଦ୍ଧିଷ୍ଟ ସମୟ ଅନ୍ତରରେ ପୋଲିସ ଓ ପବ୍ଲିକଙ୍କ ମଧ୍ୟରେ ଆଲୋଚନା, ରାତ୍ରିକାଳୀନ ପେଟ୍ରୋଲିଂକୁ ତ୍ୱରାନ୍ୱିତ କରିବା ଓ ଦୁର୍ନୀତିଖୋରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆଲୋଚନା ସମୟରେ ପ୍ରତିଶୃତି ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଦୁଇଦିନ ପୂର୍ବରୁ ବଲାଙ୍ଗିର ସହରର ସମସ୍ତ ନାଗରିକ ସମାଜ ଓ ସଂଗଠନକୁ ନେଇ ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ମିଶ୍ର ଏକ ମତବିନିମୟ କାର୍ଯ୍ୟକ୍ରମ କରିଥିଲେ । ଯେଉଁଥିରେ କି ବିଭିନ୍ନ ସମସ୍ୟା ସମାଧାନ ପାଇଁ ଏକ ପ୍ରତିନିଧି ମଣ୍ଡଳ ଗଠନ ସହ ଜିଲ୍ଲା ପ୍ରଶାସନ ଓ ସରକାର ଙ୍କ ସହ ଆଲୋଚନା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ସେହି କ୍ରମରେ ଆଜି ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲା ସିଭିଲ ସୋସଇାଟି ସଭାପତି ବେଲାର ସିଂ ଭୋଇ, ବଣିକ ସଂଘ ସାଧାରଣ ସଂପାଦକ ଲଳିତ ଚୌଧୁରୀ, ବରିଷ୍ଠ ସଭ୍ୟ କିଶୋର ରଥ, ଓକିଲ ସଂଘ ସଭାପତି ବାସୁଦେବ ରଥ, ବରିଷ୍ଠ ଓକିଲ ରତନ ମହାରଣା, ପ୍ରଶାନ୍ତ ସେନାପତି, ସାମାଜିକ କର୍ମୀ ଧର୍ମେନ୍ଦ୍ର ପ୍ରସାଦ ନନ୍ଦ, ସଂଗଠକ ବିରେନ୍ଦ୍ର ବନଛୋର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

Leave A Reply

Your email address will not be published.