jayashree

ସରକାରୀ ମହିଳା ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁବପିଢ଼ିଙ୍କ ମଧ୍ୟରେ ନିର୍ବାଚନୀ ସଚେତନତା ବୃଦ୍ଧି କରିବା ଏବଂ ସେମାନଙ୍କୁ ଜଣେ ସଚେତନ, ସକ୍ରିୟ ତଥା ଦାୟିତ୍ୱବାନ ଭୋଟର ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟଠାରେ ଏକ ଜିଲ୍ଲାସ୍ତରୀୟ ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଡମ୍ବରୁଧର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଡେପୁଟି କଲେକ୍ଟର ସୂର୍ଯ୍ୟକାନ୍ତ ପରିଡ଼ା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପ୍ରଥମେ ଅନୁଷ୍ଠାନସ୍ତରୀୟ ଏବଂ ପରେ ବିଧାନସଭା ନିର୍ବାଚନମଣ୍ଡଳୀସ୍ତରୀୟ ପ୍ରତିଯୋଗିତା ମାଧ୍ୟମରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ । ଅନୁଷ୍ଠିତ ହୋଇଥିବା ଏହି ପ୍ରବନ୍ଧ ପ୍ରତିଯୋଗିତାରେ ପାଟଣାଗଡ଼ ଜବାହରଲାଲ ନେହେରୁ କଲେଜର +୩ ଶେଷ ବର୍ଷର ଛାତ୍ରୀ ଶିଖା ପଧାନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟର +୩ ଦ୍ୱିତୀୟ ବର୍ଷର ଛାତ୍ରୀ ଲିପ୍ସା ରଣା ଦ୍ୱିତୀୟ ସ୍ଥାନ ଏବଂ ଲୋଇସିଂହା କଲେଜର +୩ ଶେଷ ବର୍ଷର ଛାତ୍ରୀ ଲିପ୍ସା ସାହୁ ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି କୁଇଜ୍ ପ୍ରତିଯୋଗିତାରେ ପାଟଣାଗଡ଼ ଜବାହରଲାଲ ନେହେରୁ କଲେଜର +୩ ଦ୍ୱିତୀୟ ବର୍ଷର ଛାତ୍ର ଲୁମନ କୁମାର ରାଓ ପ୍ରଥମ ସ୍ଥାନ, କଣ୍ଟାବାଞ୍ଜି କେ.ଭି. ଡିଗ୍ରୀ କଲେଜର +୩ ଶେଷ ବର୍ଷର ଛାତ୍ରୀ ସୁନିତା ମାଝୀ ଦ୍ୱିତୀୟ ସ୍ଥାନ ଏବଂ ରଥର ଏ.ପି.ଏସ୍. କଲେଜର +୩ ଶେଷ ବର୍ଷର ଛାତ୍ର ସୁମିତ ସାହୁ ତୃତୀୟ ସ୍ଥାନ ଅଧିକାର କରି କୃତିତ୍ୱ ଅର୍ଜନ କରିଛନ୍ତି । ଏହି ପ୍ରକାର ପ୍ରତିଯୋଗିତା ଯୁବପିଢ଼ିଙ୍କ ମଧ୍ୟରେ ନିର୍ବାଚନୀ ପ୍ରକ୍ରିୟା, ଭୋଟଦାନର ମହତ୍ତ୍ୱ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ସମ୍ପର୍କରେ ଗଭୀର ସଚେତନତା ସୃଷ୍ଟି କରିବା ସହ ଭବିଷ୍ୟତର ଜଣେ ଜଣେ ଦାୟିତ୍ୱବାନ ନାଗରିକ ଗଢ଼ି ତୋଳିବା ଦିଗରେ ଏକ ସଫଳ ପ୍ରୟାସ ବୋଲି ଉପସ୍ଥିତ ଅତିଥିବୃନ୍ଦ ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.