jayashree

ରୌପ୍ୟ ଜୟନ୍ତୀ ବର୍ଷରେ ପଦାର୍ପଣ କଲା ବିପିୟୁଟି : ଅଲଟ୍ରାଟେକ୍ ଉତ୍କର୍ଷ କେନ୍ଦ୍ର ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ, ବୈଷୟିକ ଶିକ୍ଷା କ୍ଷେତ୍ରରେ ୨୫ ବର୍ଷର ଉତ୍କର୍ଷତା ସହିତ ଆଜି ଆନୁଷ୍ଠାନିକ ଭାବେ ରୌପ୍ୟ ଜୟନ୍ତୀ ବର୍ଷରେ ପଦାର୍ପଣ କରିଛି । ୨୦୦୨ ମସିହାରେ ପ୍ରତିଷ୍ଠା ହେବା ପରଠାରୁ ବିପିୟୁଟି ନିରନ୍ତର ଅଗ୍ରଗତି କରି ସମଗ୍ର ରାଜ୍ୟରେ ୧୬୭ଟି ଅନୁବନ୍ଧିତ ମହାବିଦ୍ୟାଳୟ ସହିତ ଓଡ଼ିଶାର ସର୍ବବୃହତ ବୈଷୟିକ ବିଶ୍ୱବିଦ୍ୟାଳୟ ଭାବରେ ପରିଣତ ହୋଇଛି । ରାଉରକେଲା ଛେଣ୍ଡ ସ୍ଥିତ ବିଶ୍ୱବିଦ୍ୟାଳୟ ପରିସରର ନେତାଜୀ ସୁଭାଷ ଅଡିଟୋରିୟମରେ ଚାଲିଥିବା ଦୁଇଦିନିଆ “ବିପିୟୁଟି ଗବେଷଣା ସମ୍ମିଳନୀ-୨୦୨୬”ର ସଫଳ ଉଦ୍‌ଯାପନୀ ଏବଂ ରୌପ୍ୟ ଜୟନ୍ତୀ ପ୍ରତିଷ୍ଠା ଦିବସ ସମାରୋହ ସହ ଏହି ଐତିହାସିକ ମୁହୂର୍ତ୍ତକୁ ପାଳନ କରାଯାଇଛି । ଏହି ଅବସରରେ ଅଲଟ୍ରାଟେକ୍ ସିମେଣ୍ଟର ମିଳିତ ସହଯୋଗରେ ସିଭିଲ୍ ଇଞ୍ଜିନିୟରିଂ ବିଭାଗରେ ପ୍ରତିଷ୍ଠିତ ଏକ ନୂତନ “ଉତ୍କର୍ଷ କେନ୍ଦ୍ର”କୁ ଅଲଟ୍ରାଟେକ୍ ସିମେଣ୍ଟର ଜୋନାଲ ମୁଖ୍ୟ ପ୍ରଦୀପ କୁମାର ଝାଙ୍କ ଉପସ୍ଥିତିରେ ବିପିୟୁଟିର କୁଳପତି ପ୍ରଫେସର ଅମୀୟ କୁମାର ରଥ ଉଦ୍‌ଘାଟନ କରିଥିଲେ । ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ସହ ଛାତ୍ରଛାତ୍ରୀ ଏବଂ ଗବେଷକମାନଙ୍କୁ ଆଧୁନିକ ନିର୍ମାଣ ସାମଗ୍ରୀ, ଉନ୍ନତ ପରୀକ୍ଷଣ ପ୍ରଣାଳୀ ଏବଂ ଦୀର୍ଘସ୍ଥାୟୀ ନିର୍ମାଣ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ବ୍ୟବହାରିକ ଜ୍ଞାନ ପ୍ରଦାନ କରିବା ଏହି କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ । ରୌପ୍ୟ ଜୟନ୍ତୀ ପ୍ରତିଷ୍ଠା ଦିବସ ସମାରୋହରେ ବିଶିଷ୍ଟ ଅତିଥି, ବିଶେଷଜ୍ଞ, ଅଧ୍ୟାପକ-ଅଧ୍ୟାପିକା, ଅଧିକାରୀ, କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇଥିଲେ । କାର୍ଯ୍ୟକ୍ରମ ଅବସରରେ ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀମତୀ ନିଶି ପୁନମ ମିଞ୍ଜ ବାର୍ଷିକ ବିବରଣୀ ପାଠ କରି ବିପିୟୁଟିର ପ୍ରମୁଖ ଉପଲବ୍ଧି, ଅଗ୍ରଗତି ଏବଂ ବିକାଶ ଉପରେ ଆଲୋକପାତ କରିଥିଲେ । ନିଜର ଅଭିଭାଷଣରେ ବିପିୟୁଟିର କୁଳପତି ପ୍ରଫେସର ଅମୀୟ କୁମାର ରଥ ଆଗାମୀ ଦିନରେ ବିଶ୍ୱସ୍ତରୀୟ ପରିଦୃଶ୍ୟକୁ ରୂପ ଦେବାରେ କୃତ୍ରିମ ବୁଦ୍ଧିମତ୍ତା ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି ବୋଲି ଗୁରୁତ୍ୱାରୋପ କରିବା ସହ ଏହି ବୈଷୟିକ ପରିବର୍ତ୍ତନ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ । ସାମଗ୍ରିକ ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ସେ ଶିଳ୍ପ କ୍ଷେତ୍ରରେ ନୂତନ ପ୍ରଯୁକ୍ତିବିଦ୍ୟାର ବର୍ଦ୍ଧିତ ବ୍ୟବହାର ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କୁ ପରିବର୍ତ୍ତନଶୀଳ, ଉଦ୍ଭାବନଶୀଳ ଏବଂ ଶିଳ୍ପ ଉପଯୋଗୀ ହୋଇ ରହିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ରାଉରକେଲା ଇସ୍ପାତ କାରଖାନା ନିର୍ଦ୍ଦେଶକ ଆଲୋକ ବର୍ମା, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଦୀନାଃ ଦସ୍ତଗିର ଏବଂ ଅଲଟ୍ରାଟେକ୍ ସିମେଣ୍ଟର ଜୋନାଲ ମୁଖ୍ୟ ପ୍ରଦୀପ କୁମାର ଝା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୈଷୟିକ ଶିକ୍ଷା, ଶିଳ୍ପ ସମନ୍ୱୟ ଏବଂ ଆଞ୍ଚଳିକ ବିକାଶ ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ । ଅତିଥିମାନଙ୍କ ଅଭିଭାଷଣ ପରେ ଗବେଷଣା ସମ୍ମିଳନୀ ଏବଂ ପ୍ରଦର୍ଶନୀରେ କୃତିତ୍ୱ ଅର୍ଜନ କରିଥିବା ସଫଳ ଛାତ୍ରଛାତ୍ରୀ ଓ ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଶ୍ୱବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ଅଧ୍ୟୟନ କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଡକ୍ଟର ଶୁଭେନ୍ଦୁ କୁମାର ରଥ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ‘ସ୍ନାତକ ଓ ସ୍ନାତକୋତ୍ତର ଅଧ୍ୟୟନ କେନ୍ଦ୍ର’ର ନିର୍ଦ୍ଦେଶକ ପ୍ରଫେସର ଶିବକୁମାର ମିଶ୍ର ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.