
ଗଞ୍ଜାମର ବ୍ରିଟିଶ ଅମଳର ଡ୍ରେନ୍ ପୁନରୁଦ୍ଧାର ପାଇଁ ୨୦ କୋଟିର ପ୍ରସ୍ତାବ, ଜଳସେଚନ ସଚିବଙ୍କ ନିର୍ଦ୍ଦେଶରେ ନିର୍ବାହୀ ଯନ୍ତ୍ରୀଙ୍କ ଅନୁଧ୍ୟାନ
- ଗଞ୍ଜାମ ଏନ୍ଏସି ଅଧ୍ୟକ୍ଷାଙ୍କ ଚିଠି ପରେ ତତ୍ପର ହେଲା ଡ୍ରେନେଜ ବିଭାଗ, ଗଞ୍ଜାମର ମୁଖ୍ୟ ଡ୍ରେନ୍ ପାଇଁ ୨୦ କୋଟି ଟଙ୍କାର ଆକଳନ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ଜଳ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ବ୍ରିଟିଶ ଅମଳରେ ନିର୍ମିତ ମୁଖ୍ୟ ଡ୍ରେନ୍ଟିର ପୁନରୁଦ୍ଧାର ପାଇଁ ପ୍ରାୟ ୨୦ କୋଟି ଟଙ୍କାର ପ୍ରାରମ୍ଭିକ ଆକଳନ ପ୍ରସ୍ତୁତ ହୋଇଛି । ଗଞ୍ଜାମ ସହରରେ ଥିବା ଏହି ମୁଖ୍ୟ ଡ୍ରେନ୍ ସିଧା ସମୁଦ୍ରରେ ମିଶୁଛି । ଦୀର୍ଘ ଦିନ ହେବ ଏହା ଜରାଜୀର୍ଣ୍ଟ ଅବସ୍ଥାରେ ପଡିଥିବାରୁ ବର୍ଷା ଓ ବାତ୍ୟା ସମୟରେ ସହର ମଧ୍ୟକୁ ପାଣି ପଶୁଥିଲା । ଏନେଇ ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମରେ ଗଞ୍ଜାମ ସହରର ଏହି ମୁଖ୍ୟ ସମସ୍ୟାକୁ ନେଇ ବାରମ୍ବାର ପ୍ରକାଶ ପାଇ ଆସୁଥିଲା । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଏନ୍ଏସି ଅଧ୍ୟକ୍ଷା ପ୍ରତିଭା ପାଢୀ ଜଳସେଚନ ବିଭାଗ ସଚିବଙ୍କୁ ଚିଠି ଲେଖି ଡ୍ରେନ୍ର ପୁନରୁଦ୍ଧାର ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ସଚିବଙ୍କ ନିର୍ଦ୍ଦେଶ କ୍ରମେ ଆଜି ଡ୍ରେନେଜ ବିଭାଗର ନିର୍ବାହୀ ଯନ୍ତ୍ରୀ ସଂଗୀତ କୁମାର ପାତ୍ର ଡ୍ରେନ୍ର ସ୍ଥଳ ଅନୁଧ୍ୟାନ କରିଛନ୍ତି । ତାଙ୍କ ସହ ଏସଡିଓ ସୁଚରିତା ପଣ୍ଡା ଏବଂ ଏଇ ବେଣୁ ଗୋପାଳ ବେହେରା ମଧ୍ୟ ଉପସ୍ଥିତ ଥିଲେ । ଷ୍ଟେଟବ୍ୟାଙ୍କ ରାସ୍ତା ସ୍ଥିତ ଭାରତୀ ବିଦ୍ୟାପୀଠ ପାର୍ଶ୍ୱରୁ ଆରମ୍ଭ ହୋଇ ଏହି ଡ୍ରେନ୍ ଜାତୀୟ ରାଜପଥ ପାର୍ଶ୍ୱ ଦେଇ ସମୁଦ୍ରରେ ମିଶିଛି । ଏହି ଗୋଟିଏ ଡ୍ରେନ୍ ମାଧ୍ୟମରେ ଗଞ୍ଜାମ ଏନ୍ଏସି ସମେତ ୨ ଟି ପଞ୍ଚାୟତର ଜଳ ନିଷ୍କାସନ ହୋଇଥାଏ । ନିର୍ବାହୀ ଯନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, ଏହାର ଏକ ଡିପିଆର ପ୍ରସ୍ତୁତ କରାଯାଇ ବିଭାଗକୁ ପଠାଯିବ । ପୁନରୁଦ୍ଧାର କାମ ସମୟରେ ଡ୍ରେନ୍ର ପାର୍ଶ୍ୱରେ ଏକ ରାସ୍ତା ମଧ୍ୟ ନିର୍ମାଣ କରାଯିବା ପାଇଁ ପ୍ରସ୍ତାବ ରହିଛି । ସମ୍ପ୍ରତି ଡ୍ରେନ୍ ଜରାଜୀର୍ଣ୍ଣ ହୋଇଥିବାରୁ ବାତ୍ୟା ଓ ବନ୍ୟା ସମୟରେ ଜଳ ନିଷ୍କାସନ ହୋଇପାରୁ ନାହିଁ, ଯାହା ଫଳରେ ସହରବାସୀ ବାରମ୍ବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।