
ନୂଆଦିଲ୍ଲୀ, (କେପିଏନ୍ଏସ୍) : କୋଶଲୀ ଭାଷାର ସୁରକ୍ଷା ଓ ପଶ୍ଚିମ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ପାଇଁ ଜୀବନବ୍ୟାପୀ ସଂଘର୍ଷ କରିଥିବା ସାକେତ ଶ୍ରୀଭୂଷଣ ସାହୁଙ୍କ ବିୟୋଗରେ ଦିଲ୍ଲୀରେ ଶୋକର ଛାୟା। ତାଙ୍କ ସ୍ମୃତିରେ ରବିବାର ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ପଶ୍ଚିମ ଓଡ଼ିଶା ଷ୍ଟୁଡେଣ୍ଟ ଫୋରମ୍ ପକ୍ଷରୁ ଏକ ଶୋକସଭା ଆୟୋଜିତ ହୋଇଥିଲା । ଏଥିରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ ସର୍ବେଶ୍ୱର ପ୍ରଧାନ, ଜେଏନୟୁର ପ୍ରଫେସର ଡଃ ବିକ୍ରମସେନ ସାହୁ, ସୁପ୍ରିମକୋର୍ଟର ଆଇନଜୀବୀ ଜ୍ଞାନଦତ୍ତ ଚୌହାନଙ୍କ ସମେତ ବହୁ ଗବେଷକ, ଛାତ୍ରଛାତ୍ରୀ ଓ ଫୋରମ୍ର ସଦସ୍ୟ ଯୋଗଦେଇ ସାକେତ ଦା’ଙ୍କ ସ୍ମୃତିଚାରଣ କରିଥିଲେ । ବକ୍ତାମାନେ ତାଙ୍କୁ କୋଶଲୀ ଭାଷାର ଜଣେ ନିଷ୍ଠାପର ସୈନିକ ଭାବେ ଅଭିହିତ କରିବା ସହ ଭାଷା, ସଂସ୍କୃତି, ଆଞ୍ଚଳିକ ଐତିହ୍ୟ ଏବଂ ସ୍ୱତନ୍ତ୍ର କୋଶଲ ଆନ୍ଦୋଳନ ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରିଥିଲେ । ତାଙ୍କ ଅଧୁରା ସ୍ୱପ୍ନ ଓ ଆନ୍ଦୋଳନକୁ ଯୁବପିଢ଼ି ଆଗକୁ ନେବା ସହ ମାତୃଭାଷାର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ । ଶେଷରେ ଉପସ୍ଥିତ ସମସ୍ତେ ସାକେତ ଦା’ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏଥିସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ତାଙ୍କ ଆଦର୍ଶ ଓ ଐତିହ୍ୟକୁ ଜୀବନ୍ତ ରଖିବା ପାଇଁ ସଂକଳ୍ପ ନେଇଥିଲେ ।