
କେସିଙ୍ଗା, (ପ୍ରୀତେଶ ପଟେଲ) : ଶିକ୍ଷକଙ୍କ ମାଡ଼ ଭୟରେ ରାତି ଅଧରେ ଅନୁଷ୍ଠାନ ଛାଡ଼ି ପଳାଇଲେ ପଞ୍ଚମ ଶ୍ରେଣୀର ଜଣେ ନାବାଳକ ଛାତ୍ର । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ନେହେରୁ ସେବା ସଂଘରୁ ନିଖୋଜ ହୋଇଥିବା ଜୁନାଗଡ଼ ଅଞ୍ଚଳର ଛାତ୍ର ହୃଷିକେଶ ନାଏକଙ୍କୁ କେସିଙ୍ଗା ପୋଲିସ ଉଦ୍ଧାର କରିଛି । ତେବେ ଏହି ଘଟଣା ଅନୁଷ୍ଠାନରେ ରହୁଥିବା ଶିଶୁଙ୍କ ସୁରକ୍ଷା ଓ ତଦାରଖ ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ସୃଷ୍ଟି କରିଛି । ସୂଚନା ଅନୁସାରେ, ହୃଷିକେଶ ଗତକାଲି ରାତିରେ କାହାକୁ କିଛି ନଜଣାଇ ନେହେରୁ ସେବା ସଂଘରୁ ବାହାରି ଯାଇଥିଲେ । ପରେ କେସିଙ୍ଗା ଅଞ୍ଚଳରେ ତାଙ୍କୁ ଠାବ କରି ପୋଲିସ ଉଦ୍ଧାର କରିବା ସହ ଥାନାକୁ ନେଇଥିଲା । ପଚରାଉଚରା ସମୟରେ ଶିକ୍ଷକଙ୍କ ମାଡ଼ ଭୟରେ ସେ ଅନୁଷ୍ଠାନ ଛାଡ଼ି ଚାଲିଆସିଥିବା କହିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ, ଅନୁଷ୍ଠାନର ଦାୟିତ୍ୱରେ ଥିବା ଅଧିକାରୀ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏନେଇ ଶିଶୁ ମଙ୍ଗଳ ସମିତିକୁ ଅବଗତ କରାଯାଇଥିବା ସହ ଛାତ୍ରଙ୍କୁ ଅନୁଷ୍ଠାନକୁ ଫେରାଇ ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି ।ତେବେ ଶିଶୁଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଅନୁଷ୍ଠାନରୁ ଜଣେ ନାବାଳକ ରାତି ଅଧରେ କିପରି ବାହାରିଗଲେ, ତାହା ପରିଚାଳନା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି । ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ଅନୁଷ୍ଠାନର ସୁରକ୍ଷା ଓ ତଦାରଖ ବ୍ୟବସ୍ଥା ଯାଞ୍ଚ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।