jayashree

ମୟୂରଭଞ୍ଜ ମହୋତ୍ସବ ପାଇଁ ଭୂମି ପୂଜନ ସମ୍ପନ୍ନ

  • ଚଳିତବର୍ଷ ମଞ୍ଚରେ ସ୍ଥାନ ପାଇବ ରାଜତନ୍ତ୍ର ଅମଳର ରେଳଗାଡ଼ି ଓ ରେଳପଥ
  • ଡିସେମ୍ବର ୬ରୁ ୧୬ ଯାଏଁ ମହୋତ୍ସବ, ୨୫୦ରୁ ଅଧିକ ଷ୍ଟଲ୍‌ରେ ମିଳିବ ସ୍ଥାନୀୟ ସାମଗ୍ରୀ ଓ ପାରମ୍ପରିକ ଖାଦ୍ୟ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜର ଗୌରବମୟ ଐତିହ୍ୟ, ସମୃଦ୍ଧ କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ପୁଣିଥରେ ଜମିବ ମହୋତ୍ସବର ଆସର । ଏଥର ମହୋତ୍ସବର ମଞ୍ଚରେ ଦର୍ଶକଙ୍କୁ ଆକର୍ଷିତ କରିବ ରାଜତନ୍ତ୍ର ଅମଳର ଛୋଟ ରେଳଲାଇନ୍ ସହ ରେଳଗାଡ଼ିର ଅବିକଳ ପ୍ରତିରୂପ । ଏହାକୁ ନେଇ ଚଳିତବର୍ଷର ମୟୂରଭଞ୍ଜ ମହୋତ୍ସବରେ ରହିବ ଏକ ସ୍ୱତନ୍ତ୍ର ଆକର୍ଷଣ । ଆସନ୍ତା ଡିସେମ୍ବର ୬ରୁ ୧୬ ତାରିଖ ପର୍ଯ୍ୟନ୍ତ ବାରିପଦାର ଛଉ ପଡ଼ିଆରେ ଏହି ମହୋତ୍ସବ ଅନୁଷ୍ଠିତ ହେବ । ଏହାର ପ୍ରସ୍ତୁତିକୁ ନେଇ ପବିତ୍ର ଅଁଳା ନବମୀ ଅବସରରେ ଆଜି ବିଧିବଦ୍ଧ ଭାବେ ଭୂମି ପୂଜନ ଓ ମଞ୍ଚ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଛି । ପ୍ରଥମେ ମୟୂରଭଞ୍ଜର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀଙ୍କ ମନ୍ଦିର ସମେତ ଦେବକୁଣ୍ଡର ମା’ ଅମ୍ବିକା ଓ ଅନ୍ୟାନ୍ୟ ଦେବାଦେବୀଙ୍କ ମନ୍ଦିରରୁ ଆଜ୍ଞାମାଳ ଅଣାଯାଇଥିଲା । ଏହାପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ମହୋତ୍ସବର ସଫଳ ଆୟୋଜନ ପାଇଁ ଭୂମି ପୂଜନ କରାଯାଇଥିଲା । ମହୋତ୍ସବର ପ୍ରଥମ ଦିନ ଡିସେମ୍ବର ୬ ତାରିଖରେ ଆୟୋଜିତ ହେବ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା । ଏହାପରେ ୭ ତାରିଖରୁ ପ୍ରତିଦିନ ମଞ୍ଚରେ ଜିଲ୍ଲାର ସ୍ଥାନୀୟ କଳାକାରଙ୍କ ସହ ଓଲିଉଡ୍ ଓ ବଲିଉଡ୍‌ର ନାମୀ କଳାକାରମାନେ ସଙ୍ଗୀତ, ନୃତ୍ୟ ଓ ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । କେବଳ ସାଂସ୍କୃତିକ କାର୍ଯ୍ୟକ୍ରମ ନୁହେଁ, ମହୋତ୍ସବ ପରିସରରେ ୨୫୦ରୁ ଅଧିକ ଷ୍ଟଲ୍ ଖୋଲିବାକୁ ଯୋଜନା ରହିଛି । ଏଠାରେ ବିଭିନ୍ନ ଘରକରଣା ସାମଗ୍ରୀ, ସ୍ଥାନୀୟ ଉତ୍ପାଦ ଓ ମୟୂରଭଞ୍ଜର ପାରମ୍ପରିକ ଖାଦ୍ୟର ମଜା ନେଇପାରିବେ ଦର୍ଶକ । ଏହା ସ୍ଥାନୀୟ କାରିଗର, ବ୍ୟବସାୟୀ ଓ ଉତ୍ପାଦକଙ୍କୁ ନିଜର ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରି ପାଇଁ ଏକ ସୁଯୋଗ ଯୋଗାଇଦେବ । ଆଜିର ଭୂମି ପୂଜନ କାର୍ଯ୍ୟକ୍ରମରେ ମହୋତ୍ସବ କମିଟିର ଅଧ୍ୟକ୍ଷ ଅସିତ୍ ବରଣ ପତି, ସଭାପତି କୃଷ୍ଣାନନ୍ଦ ମହାନ୍ତି, କାର୍ୟ୍ୟକାରୀ ସଭାପତି ସଞ୍ଜୀବ ଦ୍ୱିବେଦୀ, ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା, ଉପସଭାପତି ସୁଜିତ୍ ମହାନ୍ତି, ପ୍ରସନ୍ନ ମହାପାତ୍ର, କାବୁ ତ୍ରିପାଠୀ, ସାଂସ୍କୃତିକ ସମ୍ପାଦକ ତାପସ ପାଢ଼ୀଙ୍କ ସମେତ କମିଟିର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହିଥିଲେ । ମୟୂରଭଞ୍ଜର ଐତିହାସିକ ରେଳପଥର ସ୍ମୃତିକୁ ମଞ୍ଚରେ ଉପସ୍ଥାପନ କରିବାଠାରୁ ଆରମ୍ଭ କରି ସ୍ଥାନୀୟ କଳା, ସଂସ୍କୃତି ଓ ଖାଦ୍ୟପେୟକୁ ଲୋକଲୋଚନକୁ ଆଣିବା ପର୍ଯ୍ୟନ୍ତ, ଚଳିତବର୍ଷର ମହୋତ୍ସବରେ ରହିଛି ଅନେକ ନୂଆ ଆକର୍ଷଣ । ଜିଲ୍ଲାର ଗୌରବମୟ ପରିଚୟକୁ ରାଜ୍ୟ ତଥା ଜାତୀୟ ସ୍ତରରେ ପହଞ୍ଚାଇବା ସହ ଦର୍ଶକଙ୍କୁ ଏକ ଭିନ୍ନ ଅନୁଭୂତି ଦେବା ଲକ୍ଷ୍ୟରେ ଆୟୋଜନ ଚାଲିଛି ମୟୂରଭଞ୍ଜ ମହୋତ୍ସବ । ଏନେଇ ମହୋତ୍ସବ କମିଟିର ମୁଖପାତ୍ର ସତ୍ୟଜିତ ସୋମ ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.