jayashree

ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ବଦ୍ରିନାରାୟଣ ବିଶ୍ୱାଳ ଶ୍ରେଷ୍ଠ ବିଜ୍ଞାନ ଶିକ୍ଷକ ଭାବେ ପୁରସ୍କୃତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ନିଜର ନିଷ୍ଠା, କଠିନ ପରିଶ୍ରମ, ଅଧ୍ୟବସାୟ ଓ ଶିକ୍ଷାଦାନ ପ୍ରତି ଅସୀମ ଆଗ୍ରହ ଆଜି ଜଣେ ଶିକ୍ଷକଙ୍କୁ ରାଜ୍ୟସ୍ତରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି । ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ୍‌ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମାଝୀଧନୁଆର ବିଜ୍ଞାନ ଶିକ୍ଷକ ବଦ୍ରିନାରାୟଣ ବିଶ୍ୱାଳ ରାଜ୍ୟର ଶ୍ରେଷ୍ଠ ବିଜ୍ଞାନ ଶିକ୍ଷକ ଭାବେ ପୁରସ୍କୃତ ହୋଇଛନ୍ତି । ଗତ ୧୨ ନଭେମ୍ବର ୨୦୨୬ ତାରିଖରେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍-୩ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହ ତଥା ଶିଶୁ ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ଶ୍ରୀ ବିଶ୍ୱାଳଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା, ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଠେଙ୍ଗାନାଲ ଗ୍ରାମର ପିତା ଘନ ବିଶ୍ୱାଳ ଓ ମାତା ଚଞ୍ଚଳା ବିଶ୍ୱାଳଙ୍କ ସୁପୁତ୍ର ଅଟନ୍ତି । ଶ୍ରୀ ବିଶ୍ୱାଳଙ୍କ ଦୀର୍ଘଦିନର ନିଷ୍ଠାପର ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଛାତ୍ରବତ୍ସଳ ମନୋଭାବ ସହିତ ବିଜ୍ଞାନ ଶିକ୍ଷାର ପ୍ରସାର ଏବଂ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲା, ରାଜ୍ୟ ଓ ଜାତୀୟସ୍ତରରେ ସଫଳତା ହାସଲ କରାଇବାରେ ତାଙ୍କର ଅବଦାନକୁ ସ୍ୱୀକୃତି ଦେଇ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ଖବର ଶୁଣିବା ପରେ ତାଙ୍କୁ ଡୁଙ୍ଗୁରିପାଲି ବ୍ଲକର ତଥା ଠେଙ୍ଗାନାଲ ଗ୍ରାମର ବୃଦ୍ଧିଜିବୀ ଓ ଶିକ୍ଷାବିତମାନେ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.