
ରାଉରକେଲା, (ସସ୍ମିତା ପ୍ରଧାନ) : ଏନ୍ଆଇଟି ରାଉରକେଲାର ବାର୍ଷିକ ଟେକ୍ନୋ-ମ୍ୟାନେଜମେଣ୍ଟ ଫେଷ୍ଟିଭାଲ୍ ଇନୋଭିସନ୍-୨୦୨୬ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ଏହା ଆସନ୍ତାକାଲି ୧୫ ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷର ବିଷୟବସ୍ତୁ ରହିଛି ‘ଦ ସେଲେଷ୍ଟିଆଲ୍ ଓଡ଼ିସି – ଟେକ୍ନୋଲୋଜି ବିୟଣ୍ଡ ଦ ହୋରାଇଜନ୍’ । ଓଡ଼ିଶା ଓ ପଡ଼ୋଶୀ ରାଜ୍ୟର ପ୍ରାୟ ୫୦ଟି ଶିକ୍ଷାନୁଷ୍ଠାନରୁ ୧୩୦୦ରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଛନ୍ତି । ଉଦ୍ଘାଟନୀ ସନ୍ଧ୍ୟାରେ ଇସ୍ରୋର ମହାକାଶଚାରୀ-ମନୋନୀତ ଗ୍ରୁପ୍ କ୍ୟାପ୍ଟେନ୍ ଅଙ୍ଗଦ ପ୍ରତାପ ଭର୍ଚୁଆଲ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ । ଭାରତର ମହାକାଶ ମିଶନ୍, ନିଜ ଯାତ୍ରା ଓ ବୈଜ୍ଞାନିକ ଗବେଷଣାର ଭୂମିକା ବିଷୟରେ ସେ କହିଥିଲେ । ତାଙ୍କ ବକ୍ତବ୍ୟ ଯୁବପିଢ଼ିଙ୍କୁ ବିଜ୍ଞାନ ଓ ମହାକାଶ କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ପ୍ରେରିତ କରିଥିଲା । ଭୁବନେଶ୍ୱର ବେହେରା ଅଡିଟୋରିୟମ୍ରେ ହୋଇଥିବା ଉତ୍ସବରେ ନିର୍ଦ୍ଦେଶକ ପ୍ରଫେସର କେ. ଉମା ମହେଶ୍ୱର ରାଓ, ଇସ୍ରୋ ଶ୍ରୀହରିକୋଟାର ବରିଷ୍ଠ ବୈଜ୍ଞାନିକ ଡ. ଅମିତାଭ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ନିର୍ଦ୍ଦେଶକ ଛାତ୍ରଙ୍କୁ କହିଥିଲେ, କେବଳ ମାର୍କ ପଛରେ ନ ଧାଇଁ ବାସ୍ତବ ସମସ୍ୟାର ସମାଧାନ ବାହାର କର । ସ୍ଥାୟୀ ଶକ୍ତି, ଶୁଦ୍ଧ ପାନୀୟ ଜଳ, ମାଟି ସଂରକ୍ଷଣ ଭଳି କାମରେ ଲାଗେ । ପେଟେଣ୍ଟ୍ ଓ ଷ୍ଟାର୍ଟଅପ୍ ପାଇଁ ଅନୁଷ୍ଠାନ ଏଫ୍ଟିବିଆଇ ମାଧ୍ୟମରେ ସହଯୋଗ କରିବ । ଡ. ମହାନ୍ତି କହିଥିଲେ, ଇଣ୍ଡିଆନ୍ ସ୍ପେସ୍ ପଲିସି-୨୦୨୩ ପରେ ମହାକାଶ କ୍ଷେତ୍ରରେ ବହୁ ସୁଯୋଗ ସୃଷ୍ଟି ହୋଇଛି । ଛାତ୍ରମାନେ ପ୍ରପଲସନ୍, ସାଟେଲାଇଟ୍, ସ୍ପେସ୍ ଆପ୍ଲିକେସନ୍ ଆଦିରେ ଗବେଷଣା କରିପାରିବେ । ନବସୃଜନ ପାଇଁ ବଡ଼ ଟଙ୍କା ଦରକାର ନାହିଁ, ଭଲ ଭାବନା ଦରକାର । ଏହି ଫେଷ୍ଟିଭାଲରେ ଡେଥ୍ରେସ୍, ଏରୋପ୍ରିକ୍ସ, କେମ୍-ଇ-ପ୍ରିକ୍ସ, ଇନୋଭାଥନ୍, ରୋବୋ ସୁମୋ ୱାର୍, ଷ୍ଟେଲାର୍ ନାଇଟ୍, କୋଡିଂ ଓ ଉଦ୍ୟୋଗ ପ୍ରତିଯୋଗିତା ଚାଲିଛି । ଉଦ୍ଘାଟନୀ ପରେ ୧୯ତମ ବାଟାଲିୟନ୍ ସିଆପିଏଫ୍ ପକ୍ଷରୁ ଆୟୋଜିତ ଅସ୍ତ୍ର ପ୍ରଦର୍ଶନୀକୁ ମଧ୍ୟ ଉଦ୍ଘାଟନ କରାଯାଇଥିଲା । ଛାତ୍ରମାନେ ସୁରକ୍ଷା ବାହିନୀର ବିଭିନ୍ନ ଅସ୍ତ୍ର ଓ ଉପକରଣ ଦେଖିଥିଲେ ।