jayashree

ରାଉରକେଲା ସରକାରୀ ମହାବିଦ୍ୟାଳୟରେ ଶକ୍ତିଶ୍ରୀ କାର୍ଯ୍ୟକ୍ରମ ଉଦ୍‌ଯାପିତ

  • ୯୦୦ ଛାତ୍ରୀଙ୍କ ଅଂଶଗ୍ରହଣ, ୨୯୮ ଜଣଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳା ଓ ଛାତ୍ରୀଙ୍କ ସୁରକ୍ଷା, ସଚେତନତା ଓ ସଶକ୍ତୀକରଣକୁ ଗୁରୁତ୍ୱ ଦେଇ ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଶକ୍ତିଶ୍ରୀ ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସପ୍ତାହବ୍ୟାପୀ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୯୦୦ ଜଣ ଛାତ୍ରୀ ଭାଗ ନେଇଥିବା ବେଳେ ୨୯୮ ଜଣ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳର ପ୍ରଶିକ୍ଷଣ ଦିଆଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏବଂ ଶକ୍ତିଶ୍ରୀ କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ମମତା ବାକ୍ସଲାଙ୍କ ସଂଯୋଜନାରେ ଏହି ଅଭିଯାନ ପରିଚାଳିତ ହୋଇଥିଲା । ଏଥିରେ ସଚେତନତା ଶୋଭାଯାତ୍ରା, ଦୁଇଟି ଆଲୋଚନାଚକ୍ର, ପାଞ୍ଚଟି ପ୍ରତିଯୋଗିତା ସହ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ପ୍ରାରମ୍ଭରେ ଛାତ୍ରୀ ଓ ଅଧ୍ୟାପିକାମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ମହାବିଦ୍ୟାଳୟ ପରିସର ଓ ଏହାର ଆଖପାଖ ଅଞ୍ଚଳରେ ପରିକ୍ରମା କରିଥିଲା । ଏଥିରେ ଶକ୍ତିଶ୍ରୀ ଯୋଜନାର ଉଦ୍ଦେଶ୍ୟ ଓ ମହିଳା ସୁରକ୍ଷା ସମ୍ପର୍କିତ ବାର୍ତ୍ତା ପ୍ରଚାରପତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଦିଆଯାଇଥିଲା । ଚଳିତ ମାସ ୭ ତାରିଖରେ ଆୟୋଜିତ ପ୍ରଥମ ଆଲୋଚନାଚକ୍ରରେ ବିଶିଷ୍ଟ ଲେଖିକା, ଅନୁବାଦିକା ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଡ. ନିବେଦିତା ଜେନା ଯୋଗଦେଇ ‘ମୁଁ ଶକ୍ତିଶ୍ରୀ’ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । ଏଥିରେ ଭାରତୀୟ ନ୍ୟାୟ ସଂହିତା, ମହିଳା ଓ ବାଳିକାଙ୍କ ସୁରକ୍ଷା ପାଇଁ ରହିଥିବା ଆଇନ ଏବଂ ରାଗିଂ ନିରୋଧୀ ଆଇନ ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରିବା ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା । ସେହିପରି ୧୦ ତାରିଖରେ ସୁଶିଳାବତୀ ସରକାରୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପିକା ତଥା ଲେଖିକା ମହେଶ୍ୱତା ସାହୁ ଯୋଗଦେଇ ଛାତ୍ରୀମାନଙ୍କ ମାନସିକ ସ୍ୱାସ୍ଥ୍ୟ ଓ ଏହାର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟପକ୍ଷରେ ଛାତ୍ରୀମାନଙ୍କ ଅନ୍ତର୍ନିହିତ ପ୍ରତିଭା ଓ ସୃଜନଶୀଳତାର ବିକାଶ ପାଇଁ ଚିତ୍ରାଙ୍କନ, କବିତା ଆବୃତ୍ତି, ଏକକ ନୃତ୍ୟ, ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ପାୱାରପଏଣ୍ଟ ଉପସ୍ଥାପନା ଏବଂ ଗୋଷ୍ଠୀଗତ କ୍ଷୁଦ୍ର ଅଭିନୟ ଭଳି ପାଞ୍ଚଟି ପ୍ରତିଯୋଗିତା ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ ଏହି ପ୍ରତିଯୋଗିତାଗୁଡ଼ିକର ୨୮ ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏଥିସହ ଉଚ୍ଚଶିକ୍ଷା ବିଭାଗର ପଞ୍ଜୀକୃତ ପ୍ରଶିକ୍ଷିକା ମହିମା ସୁନ୍ଦରୀ ମଲ୍ଲିକ ଓ ଦେବୀ ଦର୍ଶିନୀଙ୍କ ଦ୍ୱାରା ଏକ ସପ୍ତାହ ଧରି ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳର ବିଭିନ୍ନ ଦିଗ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା । ଉଦ୍‌ଯାପନୀ ଉତ୍ସବରେ ପ୍ରଶିକ୍ଷଣ ନେଇଥିବା ଛାତ୍ରୀମାନଙ୍କୁ ପ୍ରମାଣପତ୍ର ମଧ୍ୟ ବଣ୍ଟନ କରାଯାଇଥିଲା । ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ଆୟୋଜିତ ଉଦ୍‌ଯାପନୀ ସଭାକୁ ସଂଯୋଜିକା ମମତା ବାକ୍ସଲା ପରିଚାଳନା କରିଥିଲେ । ଏଥିରେ ରାଉରକେଲାର ଉପଜିଲ୍ଲାପାଳ ମଧୁମିତା କିଷାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ଉତ୍ସାହିତ ଓ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହ-ସଂଯୋଜିକା ତଥା ସହକାରୀ ପ୍ରାଧ୍ୟାପିକା ଡ. ରଞ୍ଜିତା ଓରାମ, ଡ. ସନ୍ତୋଷିନୀ ପାତ୍ର, ଡ. ରାଜଲକ୍ଷ୍ମୀ ବାରିକଙ୍କ ସମେତ ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପକ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.