jayashree

ଆମ୍ବେଦକରଙ୍କ ଆଦର୍ଶ ସହ ସଂସ୍କୃତିର ମହାମିଳନ : ଫଟାମୁଣ୍ଡାରେ ୧୪ତମ ଟିହିଲି ଉତ୍ସବ ପାଳିତ

  • ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ ଓ ନାଟକରେ ଝୁମିଲେ ଦର୍ଶକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମରେ ସ୍ଥାନୀୟ ଡ. ଭୀମରାଓ ଆମ୍ବେଦକର ଯୁବକ ସଂଘ ପକ୍ଷରୁ ୧୪ତମ ଟିହିଲି ଉତ୍ସବ ଗତ ୨୫ ତାରିଖ ସନ୍ଧ୍ୟାରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଏହି ଅବସରରେ ପୂଜାର୍ଚ୍ଚନା, ସଭା, ସମ୍ବର୍ଦ୍ଧନା, ସଙ୍ଗୀତ, ନୃତ୍ୟ ଓ ନାଟକ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉତ୍ସବର ଶୁଭାରମ୍ଭରେ ଗ୍ରାମର ଝାଙ୍କର ଟିହିଲି ଡୁଙ୍ଗୁରିଠାରେ ପୂଜାର୍ଚ୍ଚନା କରିଥିଲେ । ପରେ ନାଟ୍ୟକାର ଅଶୋକ କୁମାର ବହିଦାରଙ୍କ ସଂଯୋଜନାରେ ଉଦ୍‌ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା । ନାଟ୍ୟକାର ପ୍ରଫେସର କେଶରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଶ୍ରୀପତି କୁମ୍ଭାର ମୁଖ୍ୟ ଅତିଥି ଏବଂ ମନ୍ଦାକିନୀ ମଲ୍ଲିକ ଓ ସୁରେଖା ଭୁଏ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅତିଥିମାନେ ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ୱଳନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସଂଘର ସମ୍ପାଦକ ରଜନୀକାନ୍ତ ସୁନା ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ କରିଥିବା ସଂକଳ୍ପ ପରିବାର, ବରଗଡ଼ ଫିଡ୍‌ ବରଗଡ଼ ଅନୁଷ୍ଠାନ, ଗୀତାଞ୍ଜଳି ପୋଡ଼, ମିନା ବାଗ, ଲକ୍ଷ୍ମୀଧର ମୁର୍ମୁ, ସମୀତାରାଣୀ ବାଗ ଓ ଦିଲ୍ଲୀପ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାରେ ଅତିଥିମାନେ ସମ୍ବିଧାନ ପ୍ରଣେତା ଡ. ଆମ୍ବେଦକରଙ୍କ ଜୀବନୀ, ଆଦର୍ଶ ଓ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ସଂଘର ସଭାପତି ଗୋପବନ୍ଧୁ ଶିକା ଧନ୍ୟବାଦ ଅର୍ପଣ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ରମେଶ ଗୁର୍ଲାଙ୍କ ତତ୍ତ୍ୱାବଧାନରେ ଏବଂ ଗଣେଶ ମେହେର ଓ ସୋନାଲିକା ଶବରଙ୍କ ଉଦ୍‌ଘୋଷଣାରେ ରଙ୍ଗାରଙ୍ଗ ସାଂସ୍କୃତିକ ସନ୍ଧ୍ୟା ଆୟୋଜିତ ହୋଇଥିଲା । ଗୀତାଞ୍ଜଳି ପୋଡ଼, ରେଣୁରଞ୍ଜନ ବାଗ, ମିନା ବାଗ ଓ ଗୁଡ଼ୁଙ୍କ ସମ୍ବଲପୁରୀ ସଙ୍ଗୀତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏଥିସହ କଟକର ନଟରାଜ ନୃତ୍ୟ ଦଳ ଏକାଡେମୀ, ରାୟଗଡ଼ର ଢେମସା ନୃତ୍ୟ ଦଳ, ବରଗଡ଼ର ଫୁଲଗଜରା ଏବଂ ବିଜେପୁରର ଏକ ନୃତ୍ୟ ଦଳ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ । ଉତ୍ସବର ଶେଷ ପର୍ଯ୍ୟାୟରେ ପଦ୍ମପୁରର ‘ଲୁ’ ନାଟ୍ୟ ଅନୁଷ୍ଠାନ ପକ୍ଷରୁ ପ୍ରଫେସର କେଶରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶନାରେ ‘ଅନ୍ଧାରରୁ ଉକିଆ’ ନାଟକ ମଞ୍ଚସ୍ଥ ହୋଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନେ ସମସ୍ତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଉତ୍ସବର ସଫଳ ଆୟୋଜନରେ ବିଶ୍ୱାମିତ୍ର କୁମ୍ଭାର, ଅଞ୍ଜଳି ପରିଡ଼ା, ଦିନବନ୍ଧୁ ବାରିକ, ତ୍ରିଲୋଚନ, ବିକ୍ରମ ପ୍ରଧାନ, ଶଶୀ, ସନ୍ତୋଷ, ରମେଶ, ରାଜେଶ, ବିନୟ, ଉମେଶ, ଭକ୍ତ, ରଙ୍ଗାଧର, ରାଜୁ, ରଞ୍ଜନ, ବେଣୁପାଣି ଓ ହିମାଞ୍ଚଳଙ୍କ ସମେତ ସଂଘର ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ । ବିଭିନ୍ନ ପର୍ଯ୍ୟାୟରେ ପ୍ରିତେଶ ବହିଦାର, କ୍ଷୀରସିନ୍ଧୁ ସୁନା ଓ ରାମଚନ୍ଦାନୀ ପ୍ରମୁଖ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ ।

Leave A Reply

Your email address will not be published.