
- ୮ଟି ପଦବୀ ପାଇଁ ମଇଦାନରେ ୩୧ ପ୍ରାର୍ଥୀ ମତଦାନ
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଦୀର୍ଘ ୪୬ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ। ଦୀର୍ଘ ବର୍ଷର ବ୍ୟବଧାନ ପରେ ହେଉଥିବା ଏହି ନିର୍ବାଚନରେ ୮ଟି ପଦବୀ ପାଇଁ ୩୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି । ପ୍ରଚାର ଶେଷ ହୋଇଥିବା ବେଳେ ଏବେ ସମସ୍ତଙ୍କ ନଜର ମତଦାନ ଓ ନିର୍ବାଚନ ଫଳାଫଳ ଉପରେ। ନିର୍ବାଚନ ପୂର୍ବରୁ ବୁଧବାର ମହାବିଦ୍ୟାଳୟ ସଭାଗୃହରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ଶୀର୍ଷକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ପ୍ରାର୍ଥୀମାନେ ନିଜର ଲକ୍ଷ୍ୟ, ଚିନ୍ତାଧାରା ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ମତ ରଖିଥିଲେ । ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ, ଶିକ୍ଷାର ଗୁଣବତ୍ତା ବୃଦ୍ଧି, କ୍ରୀଡ଼ା ଓ ସହପାଠ୍ୟକ୍ରମ କାର୍ଯ୍ୟକଳାପର ବିକାଶ ସହ କଲେଜର ସାମଗ୍ରିକ ଉନ୍ନତିରେ ଛାତ୍ର ପ୍ରତିନିଧିଙ୍କ ଭୂମିକା ଉପରେ ସେମାନେ ଗୁରୁତ୍ୱ ଦେଇଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ଉପଜିଲ୍ଲାପାଳ ପ୍ରଣୀତା ଦାସ, ମାଜିଷ୍ଟ୍ରେଟ୍ ତଥା ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ନିର୍ବାଚନ ଅଧିକାରୀ ଅଧ୍ୟାପକ ତେଜେଶ୍ୱର ନାୟକ, ସହନିର୍ବାଚନ ଅଧିକାରୀ ଅଧ୍ୟାପକ ସରୋଜ ପାଠୀ, ଅଧ୍ୟାପକ ହିମାଂଶୁ ଶେଖର ସାହୁ ଏବଂ ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ ଉପସ୍ଥିତ ଥିଲେ । ପ୍ରକାଶିତ ପ୍ରାର୍ଥୀ ତାଲିକା ଅନୁଯାୟୀ, ସଭାପତି ପଦ ପାଇଁ ୭ ଜଣ, ଉପସଭାପତି ପଦବୀ ପାଇଁ ୪ ଜଣ, ସାଧାରଣ ସମ୍ପାଦକ ପଦବୀ ପାଇଁ ୪ ଜଣ ଏବଂ ସହସମ୍ପାଦକ ପଦ ପାଇଁ ୩ ଜଣ ପ୍ରାର୍ଥୀ ରହିଛନ୍ତି । ସେହିପରି ଡିଏସ୍ଏ ସମ୍ପାଦକ ଓ ସହସମ୍ପାଦକ ପଦବୀ ପାଇଁ ୩ ଜଣ ଲେଖାଏଁ, କ୍ରୀଡ଼ା ସମ୍ପାଦକ ପଦ ପାଇଁ ୪ ଜଣ ଏବଂ କ୍ରୀଡ଼ା ସହସମ୍ପାଦକ ପଦ ପାଇଁ ୩ ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ନିର୍ବାଚନ କାର୍ଯ୍ୟସୂଚୀ ଅନୁସାରେ, ଗୁରୁବାର ୧୫ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ଯାଏଁ ମତଦାନ ହେବାକୁ ଥିବା ବେଳେ ଅପରାହ୍ନ ୫ଟାରେ ଫଳାଫଳ ଘୋଷଣା କରାଯିବ। ଶୁକ୍ରବାର ୧୬ ତାରିଖରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ । ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ କରିବା ପାଇଁ କଲେଜ କର୍ତ୍ତୃପକ୍ଷ ଆବଶ୍ୟକ ପ୍ରସ୍ତୁତି କରିଛନ୍ତି । ଏଥିସହ ଲିଙ୍ଗଡୋ କମିଶନଙ୍କ ନିୟମାବଳୀ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ୪୬ ବର୍ଷ ପରେ ହେଉଥିବା ଏହି ନିର୍ବାଚନ କେବଳ ପଦପଦବୀ ହାସଲର ଲଢ଼େଇ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ସ୍ୱରକୁ ପ୍ରଶାସନ ନିକଟରେ ପହଞ୍ଚାଇବା ଓ ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ଏକ ନୂଆ ପଦକ୍ଷେପ । ତେଣୁ ନିର୍ବାଚିତ ପ୍ରତିନିଧିମାନେ ଛାତ୍ରଛାତ୍ରୀଙ୍କ ଆଶା ଓ ଆକାଂକ୍ଷାକୁ କେତେଦୂର ପୂରଣ କରିପାରୁଛନ୍ତି, ତାହା ଆଗାମୀ ଦିନରେ ଗୁରୁତ୍ୱ ବହନ କରିବ ।