jayashree

ମା’ ସାଉଁତେଶ୍ୱରୀ ମହୋତ୍ସବ ଅଏଁଲାସାରୀଠାରେ ଉଦ୍‌ଘାଟିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଅଏଲାଁସାରୀସ୍ଥିତ ମା’ ସାଉଁତେଶ୍ୱରୀ ମୂଳପୀଠ ଠାରେ ମହାଳୟା ଅମାବାସ୍ୟା ତିଥିରେ ମା’ଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଥିଲା । ନୀତି ପରମ୍ପରା ଅନୁସାରେ ମା’ ସାଉଁତେଶ୍ୱରୀ ଦେବୀ ବୁଢ଼ାରଜା ମନ୍ଦିରକୁ ଯାଇଥିଲେ । ମା’ ବାଉତୀଙ୍କ ଛତ୍ର ଓ ବରୁଆ ଦେହରେ ବେଲ ଆସି ପହଞ୍ଚିଥିଲେ । ପୀଠାସୀନ ଭୈରବ ବୁଢ଼ାରଜା ନରିହା ବୁଢ଼ା, ଡଙ୍ଗରବୁଢ଼ା ତଥା ଅନ୍ୟାନ୍ୟ ଦେବାଦେବୀ ପୀଠରେ ପୂଜାର୍ଚ୍ଚନା ହେବା ପରେ ପରେ ଚେରେଙ୍ଗାବାହାଲି, କଦଳୀପାଲି, କୁମେରବାହାଲି, ନୂଆଁଡୁଙ୍ଗୁରିପାଲି ଓ ଅଏଲାଁସାରୀ ଗ୍ରାମକୁ ଯାଇ ମା’ ସାଉଁତେଶ୍ୱରୀ ଦେବୀଙ୍କ ଛତର ପରିକ୍ରମା କରିଥିଲେ । ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି ଓ ଦୁଲଦୁଲି ବାଦ୍ୟର ପ୍ରତିଧ୍ୱନିରେ ଗଗନପବନ ପ୍ରକମ୍ପିତ ହୋଇଉଠିଥିଲା । ଏହି ଦିନ ପ୍ରଥମ କରି ସାଉଁତେଶ୍ୱରୀ ମହୋତ୍ସବ ଉଦ୍‌ଘାଟିତ ହୋଇଥିଲା । ହଜାର ହଜାର ଭକ୍ତଙ୍କର ସମାଗମ ହୋଇଥିଲା । ଉକ୍ତ ମହୋତ୍ସବକୁ ମୁଖ୍ୟ ଅତିଥି ସ୍ୱାସ୍ଥ୍ୟମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ ଉଦ୍‌ଘାଟନ କରି ନିଜ ବକ୍ତବ୍ୟରେ ମା’ଙ୍କ ମଣ୍ଡପ ଓ ଭବ୍ୟ ମନ୍ଦିରର ପୁନରୁଦ୍ଧାର ସକାଶେ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଏଥିସହ ଗ୍ରାମର ତିନି ଜଣ ଭୂମିହୀନଙ୍କୁ ଡି.୦.୦୪ ଡିସିମିଲ ଲେଖାଏଁ ପଟ୍ଟା ବଣ୍ଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟିର ସଭାପତି ଜୟକୃଷ୍ଣ ମିଶ୍ର ଯୋଗ ଦେଇଥିଲେ । ଶ୍ରୀ ମିଶ୍ର ଗ୍ରାମାଞ୍ଚଳରେ ଥିବା ଗ୍ରାମଦେବାଦେବୀଙ୍କ ପୀଠର ପୁନରୁଦ୍ଧାର ସକାଶେ ଗ୍ରାମବାସୀଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ପ୍ରତିବର୍ଷ ସରକାରୀ ସହାୟତାରେ କିପରି ମହୋତ୍ସବ ଆୟୋଜନ କରାଯାଇପାରିବ, ସେଥିପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବରେଣ୍ୟ ଅତିଥି ତହସିଲଦାର ଅଶୋକ କୁମାର ମିଶ୍ର, ବିଶ୍ୱଜିତ କୁମାର ନାଥ, ସରପଞ୍ଚ ଶ୍ରୀମତୀ ମଦନା ବେହେରା, ସମିତି ସଭ୍ୟା ଶ୍ରୀମତୀ ସସ୍ମିତା ସାହୁ, ସଭାପତି ଲାଲମନ ବେହେରା, ସମ୍ପାଦକ ସୁବାସ ଚନ୍ଦ୍ର ବିଶ୍ୱାଳ, କୋଷାଧ୍ୟକ୍ଷ ଉମେଶ ପଧାନ ମଞ୍ଚାସୀନ ଥିଲେ । ସଂସ୍କୃତି ଗବେଷକ ଉକାଳୁ ସା ମଞ୍ଚ ପରିଚାଳନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ କୁମେରବାହାଲି, ବଲାଙ୍ଗିର ଆଦର୍ଶପଡ଼ା, ଅଏଲାଁସାରୀ ଗ୍ରାମର ୫ଟି କୀର୍ତ୍ତନ୍ୟ ଦଳ ଓ ଲେଥିପାଲି ଏବଂ ଅଏଁଲାସାରୀ ସରକାରୀ ଉନ୍ନୀତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜ ନିଜର ପାରମ୍ପରିକ କଳା ପ୍ରଦର୍ଶନ କରିଥିଲେ । ଜୟମନ ବେହେରା, ରାଜେନ୍ଦ୍ର ସା, ପୂଜାକାର୍ଯ୍ୟ ତୁଲାଇଥିଲେ । ଗୁଣନିଧି ଚନ୍ଦନ, ଅନାଦି କାଲସାଏ, ପବିତ୍ର ସା, ବାବୁଲାଲ ବାଗ, ଶଙ୍କର ଚନ୍ଦନ, ପ୍ରମୋଦ ବେହେରା, ଢେକାଲୁ ସା, ସଦାନନ୍ଦ ଦୀପ, ଇନ୍ଦ୍ର ସା ପ୍ରମୁଖ ଆୟୋଜନରେ ସହଯୋଗ କରିଥିଲେ । ଆସନ୍ତା ୧୯ ତାରିଖରେ ଏହି ମହୋତ୍ସବ ଉଦ୍‌ଯାପିତ ହେବ ।

Leave A Reply

Your email address will not be published.

error: Content is protected !!