jayashree

ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା ମାମଲା : ଏକ ମାସ ପରେ ମଧ୍ୟ ପୋଲିସ ହାତ ଖାଲି ଅଭିଯୋଗ ଆଣିଲେ ପରିବାର

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ହତ୍ୟାର ମାସେ ପରେ ମଧ୍ୟ ହତ୍ୟାକାରୀକୁ ଗିରଫ କରିବାରେ ବିଫଳ ପୋଲିସ । ପରିବାର ପକ୍ଷରୁ ତୁରନ୍ତ ଗିରଫ ପାଇଁ ଡୁଙ୍ଗୁରିପାଲି ଥାନାରେ ଲିଖିତ ଅଭିଯୋଗ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଜୁରୀ କେନାଲ ନିକଟରେ ଗତ ମାସ ୧୦ ତାରିଖରେ ଆଗଲପୁର ସମିତି ସଭ୍ୟ ଅଚୁତାନନ୍ଦ ନାୟକଙ୍କୁ ଗୁଳି କରି ହତ୍ୟା କରି ଦୁର୍ବୃତ୍ତ ଫେରାର ମାରିଥିବା ବେଳେ ଘଟଣାର ଏକ ମାସ ବିତି ଯାଇଥିଲେ ମଧ୍ୟ ପୋଲିସ ହତ୍ୟାକାରୀକୁ ଗିରଫ କରିପାରି ନାହିଁ । ବରଗଡ ଜିଲ୍ଲା ପୋଲିସ ଓ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ମିଳିତ ଭାବେ ଏହି ଘଟଣାର ତଦନ୍ତ କରୁଥିବା ବେଳେ ପୋଲିସ ହାତ ଖାଲି । ସାଧାରଣରେ ଆଲୋଚନା ହେଉଛି ଯେ, ପୋଲିସ ପ୍ରତି ଲୋକଙ୍କ ଭରସା ଦିନକୁ ଦିନ ଉଠିଯାଉଛି । ଏନେଇ ଆଜି ତାଙ୍କର ପରିବାର ସଦସ୍ୟ, ଗ୍ରାମବାସୀ, ଜିଲ୍ଲା ସମିତି ସଭ୍ୟ ସଂଘ ସଭାପତି, ବରପାଲି ବ୍ଲକ ଅଧକ୍ଷ୍ୟା ରୀନା ଥଇତ, ସରପଞ୍ଚ ସଙ୍ଘର ସଭାପତି ଅଧିକାରୀ ବାରିକ, ମାନସରଞ୍ଜନ ବଢ଼ାଇ, ରାଜୀବ ସାହୁ, ସରପଞ୍ଚ ପ୍ରତିନିଧି ଗୋପାଳ ଭୋଇ, ଦୀପକ ଧାନୁକା ରାଧେଶ୍ୟାମ ମିଶ୍ର, ସମିତି ସଭ୍ୟ ସଂଘର ଜିଲ୍ଲା ଉପ ସଭାପତି ଉପେନ୍ଦ୍ର ବାଗ, ନାରାୟଣ ପଧାନ, ସମିତି ସଭ୍ୟା ପ୍ରତିନିଧି ଅରୁଣ ସାହୁ ପ୍ରମୁଖ ଡୁଙ୍ଗୁରିପାଲି ଥାନାକୁ ଆସି ହତ୍ୟାକାରୀକୁ ତୁରନ୍ତ ଗିରଫ କରାଯାଉ ବୋଲି ଥାନା ଅଧିକାରୀ ରୋଜାଲିନି ପଟେଲଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଥାନା ପରିସରରେ ଥାନା ଅଧିକାରୀ ଓ ଅଭିଯୋଗ ନେଇ ଆସିଥିବା ଲୋକଙ୍କ ସହିତ କଥାହେବା ସହ ଆସାମୀକୁ ଶୀଘ୍ର ଗିରଫ କରିବାକୁ ପ୍ରତିଶୃତି ଦେଇଥିଲେ । ଏ ନେଇ ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ମିଳିଛି ଯେ, ଆସାମୀ ଚିହ୍ନଟ ହୋଇସାରିଛନ୍ତି । ପୋଲିସ ତଦନ୍ତ ଜାରି ରଖିବା ସହ ଚଢ଼ାଉ ଜାରି ରଖିଛି । ଆସାମୀ ଫେରାର ଅଛନ୍ତି ତାଙ୍କୁ ଶୀଘ୍ର ଗିରଫ କରାଯିବ ।

Leave A Reply

Your email address will not be published.