jayashree

ଭୟଙ୍କର କାର ଦୁର୍ଘଟଣା : ଜଣେ ମୃତ ୩ ଗୁରୁତର

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତକାଲି ଏକ ଭୟଙ୍କର ଗାଡ଼ି ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଗତକାଲି କଂଗ୍ରେସ ଦଳ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ ଡାକରା ଥିବାରୁ ସମସ୍ତ ଦୋକାନ ବଜାର ତଥା ଅଫିସ ବନ୍ଦ ଥିବାରୁ ବୀରମହାରାଜପୁର ବ୍ଲକ୍ କେନ୍ଦୁପାଲି ଗ୍ରାମର ୫ ଜଣ ଯୁବକ ସ୍ଥାନୀୟ ହରିହର ଜୋର ଡ୍ୟାମକୁ ଭୋଜି ଭାତ ପାଇଁ ବାହାରି ପଡିଥିଲେ । ଭୋଜିଭାତ ମଉଜ ମଜଲିସ ସରିବା ପରେ ସେମାନେ ପ୍ରାୟ ୪ଟା ବେଳେ ଘରକୁ ବାହାରିଥିଲେ । ଫେରୁଥିବା ବେଳେ ଘିକୁଣ୍ଡି ବୁଲାଣି ରାସ୍ତାରେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସେମାନେ ନେଇଥିବା ମହିନ୍ଦ୍ରା ଏକ୍ସୟୁଭି କାର ନଂ ଓଡି୩୧ଏଲ୍‌ ୪୨୨୨ ଖୁବ୍‌ଜୋରରେ ଗଛରେ ପିଟି ହୋଇ ରାସ୍ତା ଉପରେ ଓଲଟି ପଡ଼ିଥିଲା । ନିମିଷେକ ମଧ୍ୟରେ ସାଙ୍ଗସାଥୀଙ୍କ ହସଖୁସିର ପରିବେଶ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଗାଡ଼ିରେ ଥିବା ଚିକୁ ମେହେରଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଏହି ଦୁର୍ଘଟଣାରେ ଗାଡ଼ିରେ ଥିବା ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଆହତ ସୁଧୀର ମେହେର(ଚାଳକ), ସଂଜୀବ ମେହେର, ବିନୋଦ ମେହେରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଅନ୍ୟପଟେ ପରିବାରର ଏକ ମାତ୍ର ପୁଅ ଚିକୁ ମେହେରଙ୍କ ମୃତ୍ୟୁ ଖବର ପରିବାରରେ ପହଞ୍ଚିବା ପରେ ପରିବାର ବର୍ଗ ତଥା ସମଗ୍ର କେନ୍ଦୁପାଲି ଓ ବୀରମହାରାଜପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପରିବାର ଲୋକଙ୍କ କାନ୍ଦରେ ଗାଁ ଦାଣ୍ଡ ଫାଟି ପଡ଼ୁଥିବା ବେଳେ, ଏଭଳି ଦୁଃଖଦ ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି ।

Leave A Reply

Your email address will not be published.