
ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ : ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ ଦ୍ୱାରା କ୍ଷତି ପାଇଁ ଉଭୟ ବିଜେପି ଓ ବିଜେଡି ଦାୟୀ – ନରସିଂହ
- ଶିକ୍ଷା ଓ ସ୍ୱାସ୍ଥ୍ୟ ସମସ୍ୟା ଆମ ଜିଲ୍ଲାରେ ଉତ୍କଟ ହେଲାଣି
- ଶୀଘ୍ର ସମାଧାନ କର ନହେଲେ ଆନ୍ଦୋଳନ- ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜାନକୀ ବଲ୍ଲଭଙ୍କ ନେତୃତ୍ୱାଧିନ କଂଗ୍ରେସ ସରକାର ଅମଳରେ ଖଣିଜ ସଂପଦକୁ ନେଇ ଓଡିଶା ସେସ୍ ଏକ୍ଟ ଅଣାଯାଇଥିଲା । କିନ୍ତୁ ସେ ସମୟରେ ଖଣି ସଂପଦକୁ ନେଇ ରାଜ୍ୟ ସରକାରଙ୍କ ଅଧିକାର ନାହିଁ ବୋଲି ସୁପ୍ରିମ କୋର୍ଟ ଏହାକୁ ଖାରଚ କରିଥିଲେ । ପରବର୍ତ୍ତୀ ସମସୟରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ମୁଁ ନିଜେ ଆଇନ ମନ୍ତ୍ରୀ ଭାବରେ ଖଣିଜ ସଂପଦ ଭୟ ଜମି ଉପରେ ଟ୍ୟାକ୍ସ ଆଦାୟକୁ ନେଇ ଏକ ବିଲ୍ ଆଣିଥିଲି । ଯଦିଓ ଖଣିଜ ସଂପଦ ବିଷୟ କେନ୍ଦ୍ର ସରକାରଙ୍କ ଅଧିନ, କିନ୍ତୁ ଖଣିଜ ସଂପଦ ଉପରେ ଥିବା ଜମି ରାଜ୍ୟ ସରକାରଙ୍କ ଅଧିନ ଅଟେ, ତେଣୁ ଏହି ବିଲ୍ରେ ବ୍ୟବସ୍ଥା ଥିଲା ଯେ, ଜମି ଉପରେ ରାଜ୍ୟ ସରକାର ଟ୍ୟାକ୍ସ ପକାଇ ପାରିବେ । କିନ୍ତୁ ସେ ସମୟରେ ଏହି ବିଲ୍କୁ ମଧ୍ୟ ସୁପ୍ରିମ କୋର୍ଟ ଖାରଚ୍ କରିଥିଲେ । ପରେ ୧୫ ଜାନୁଆରୀ ୨୦୦୪ରେ ପଶ୍ଚିମବଙ୍ଗ ସରକାର ଏପରି ଏକ ସମାନ ବିଲ୍ ଆଣିଥିଲେ । ଯେଉଁ ବିଲ୍କୁ ସୁପ୍ରିମକୋର୍ଟ ମାନିଥିଲେ ଯେ, ଖଣିଜ ସଂପଦ ବହନ କରୁଥିବା ଜମି ଉପରେ ରାଜ୍ୟ ସରକାର ଟ୍ୟାକ୍ସ ଲଗାଇ ପାରିବେ । ତା’ ସହ ଏହା ମଧ୍ୟ କହିଥିଲେ ଯେ, ଏପରି ଏକ ବିଲ୍ ଓଡିଶା ସରକାର ମଧ୍ୟ ପୂର୍ବରୁ ଆଣିଥିଲେ । ଏହି ବିଲ୍ ଦ୍ୱାରା ରାଜ୍ୟ ସରକାର ଅନେକ ରାଜସ୍ୱ ପାଇ ପାରିଥାନ୍ତା । ତେଣୁ କେନ୍ଦ୍ର ସରକାର ଖଣିଜ ସଂପଦ ଥିବା ରାଜ୍ୟ ମାନଙ୍କୁ ଯେଉଁ ସମୟରୁ ସେହି ରାଜ୍ୟମାନେ ଏହି ବିଲ୍ ଆଣିଥିଲେ ସେହି ସମସୟରୁ ସେମାନଙ୍କର ବକେୟା ପାଉଣା ପ୍ରଦାନ କରନ୍ତୁ । ଯଦି ଏହା ଦେବାକୁ କେନ୍ଦ୍ର ସରକାର ଅସମର୍ଥ ହୁଏ ତେବେ ଏହି ପାଉଣାକୁ କିସ୍ତି ମାଧ୍ୟମରେ ରାଜ୍ୟ ସରକାର ମାନଙ୍କୁ ପ୍ରଦାନ କରନ୍ତୁ ବୋଲି ମାନ୍ୟବର ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଝାରଖଣ୍ଡ ସରକାରଙ୍କ ଦାବି ମୁତାବକ ଗୋଟିଏ କିସ୍ତିର ଭରଣା ପାଇସାରିଛି । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ବିଜେଡି ଓ ପରେ ବିଜେପି ସରକାର ଆଜି ପର୍ଯ୍ୟନ୍ତ ସେହି ଭରଣା ପାଇଁ ଦାବି କରି ନାହାନ୍ତି । ଓଲୋଟା ଏବେ ମୋଦି ନେତୃତ୍ୱାଧିନ କେନ୍ଦ୍ର ସରକାର ଏମ୍ଏମ୍ଡିଆର୍ ୨୬ ସଂଶୋଧନ ମାଧ୍ୟମରେ ରାଜ୍ୟ ସରକାରଙ୍କ ଖଣି ଓ ଜମି ଉପରେ ସମସ୍ତ ପ୍ରକାର ଅଧିକାରକୁ କ୍ଷୂର୍ଣ୍ଣ କରୁଛି । ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ, ଏମ୍ଏମ୍ଡିଆର୍ ସଂଶୋଧନ ମାଧ୍ୟମରେ କ୍ଷତି ହେଉଥିବା ଲକ୍ଷ ଲକ୍ଷ ହଜାର କୋଟି ଟଙ୍କା ରାଜସ୍ୱ ବିଜେପି ଓ ବିଜେଡି ସରକାରଙ୍କ ଅବହେଳା ଓ ଅପରାଗତା ଯୋଗୁଁ ହରାଉଛି । ତେଣୁ ଏହି ବିରାଟ ରାଜସ୍ୱ କ୍ଷତି ପାଇଁ ଉଭୟ ବିଜେଡି ଓ ବିଜେପିର ଡବଲ ଇଞ୍ଜିନ ସରକାର ଦାୟୀ ବୋଲି ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ସ୍ଥାନୀୟ ସେଲିବ୍ରେସନ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କ୍ଷୋଭର ସହ କହିଛନ୍ତି । ତା’ ସହ ଏହା ମଧ୍ୟ ଶ୍ରୀ ମିଶ୍ର କହିଛନ୍ତି ଯେ, ଯଦି ଉଭୟ ସରକାର ଖଣି ରାଜସ୍ୱ ଦାବି ଦେୟ ଆଣିପାରିଥାଆନ୍ତେ ତେବେ ରାଜ୍ୟ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ କ୍ଷେତ୍ରର ବିକାଶ ସାରା ଦେଶରେ ଶିଖର ଛୁଇଁଥାଆନ୍ତା ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ରାଜ୍ୟ ସରକାରଙ୍କ ମଧ୍ୟ ଆକ୍ଷେପ କରିଥିଲେ । ତାଙ୍କ ସମୟରେ ମହିଳା କଲେଜରେ ଖୋଲା ଯାଇଥିବା ବିଜ୍ଞାନ ବିଭାଗରେ ଆଜି ପର୍ଯ୍ୟନ୍ତ ଅଧ୍ୟାପକ ନାହାନ୍ତି । କିଛି ଦିନ ଭିତରେ ସହର ତଥା ଜିଲ୍ଲାର ଅନେକ ସ୍କୁଲ କଲେଜ ପରିଦର୍ଶନ କଲା ବେଳେ ଜଣାଯାଇଥିଲା ଯେ, ଗ୍ରାମୀଣ ସ୍କୁଲ ଗୁଡିକରେ ବିଜୁଳିର ଅବ୍ୟବସ୍ଥା ଯୋଗୁଁ ସ୍ମାର୍ଟ ବୋର୍ଡ ଶିକ୍ଷା ଅସମ୍ଭବ ହୋଇପଡୁଛି । ସ୍କୁଲ ଗୁଡିକରେ ପର୍ଯ୍ୟାପ୍ତ ଛାତ୍ରଛାତ୍ରୀ ଥିଲେ ହେଁ କେଉଁଠି ଶିକ୍ଷକ ଅଭାବ ତ କେଉଁଠି ଶ୍ରେଣୀଗୃହ ଅଭାବ ଅଛି । ସହରର ହାଇସ୍କୁଲ ଭିତରେ ପାଣି ଗଳୁଛି । ଛାତ୍ରଛାତ୍ରୀଙ୍କ ପାଇଁ ଶୌଚାଳୟ ନାହିଁ । ସର୍ବ ପୁରାତନ ସରକାରୀ ବାଳିକା ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷୟିତ୍ରୀ ନାହାନ୍ତି । ସଂସ୍କୃତ ମହାବିଦ୍ୟାଳୟରେ ଅଧ୍ୟାପକ ଅଭାବରୁ ଏବର୍ଷ ନାମଲେଖା ହୋଇପାରି ନାହିଁ । ବିଭାଗୀୟ ଅଧିକାରୀ କିମ୍ବା ସରକାରଙ୍କୁ ଯେତେ କହିଲେବି ଶୁଣୁ ନାହାନ୍ତି । ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ଅବସ୍ଥା ମଧ୍ୟ ଅସୁସ୍ଥ । ଭୀମଭୋଇ ମେଡିକାଲ କଲେଜରେ ସିଟିସ୍କାନ, ଏମ୍ଆର୍ଆଇ ମେସିନ, ନିଜସ୍ୱ ବ୍ଲଡ ବ୍ୟାଙ୍କ ଯେତେ ଦାବି କଲେ ମଧ୍ୟ ସ୍ଥାପନ ହୋଇପାରୁନାହିଁ । ଅତି ବିଶେଷଜ୍ଞ ଚିକିତ୍ସା ଯଥା ୟୁରୋଲୋଜି, ନେଫ୍ରୋଲୋଜି, ନ୍ୟୁରୋଲୋଜି ତଥା କାର୍ଡିଓଲୋଜି ବିଭାଗରେ ଚିକିତ୍ସା ହୋଇପାରୁ ନାହିଁ । ଜିଲ୍ଲାର ସ୍ୱାସ୍ଥ୍ୟମନ୍ତ୍ରୀ ଥାଇ ସୁଦ୍ଧା ଏସବୁ ସମସ୍ୟାର ସମାଧାନ ଦିଗରେ ମନ୍ତ୍ରୀ କୌଣସି ପଦକ୍ଷେପ ନେଉନାହାନ୍ତି । ତେଣୁ ସରକାର ଯଦି ଏସବୁ ସମସ୍ୟାକୁ ସମଧାନ ଶୀଘ୍ର ନକରିବେ ତେବେ ବଲାଙ୍ଗିରବାସୀ ଛାତ୍ର ଓ ଯୁବଶକ୍ତିକୁ ନେଇ ଭୟାବହ ଆନ୍ଦୋଳନ କରିବେ ବୋଲି ପୂର୍ବତନ ଆଇନ ମନ୍ତ୍ରୀ ଶ୍ରୀ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ଚେତାଇ ଦେଇଛନ୍ତି ।