jayashree

କଣ୍ଟାବାଞ୍ଜିରେ ଜିଲ୍ଲାସ୍ତରୀୟ କବାଡ଼ି ପ୍ରତିଯୋଗିତା ଉଦ୍‌ଘାଟିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ କଣ୍ଟାବାଞ୍ଜି ପରିସରରେ ଜିଲ୍ଲା ବିଦ୍ୟାଳୟ ସମୂହ ୧୪ ଓ ୧୭ ବର୍ଷରୁ କମ୍ ଜିଲ୍ଲାସ୍ତରୀୟ କବାଡ଼ି ପ୍ରତିଯୋଗିତା ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ଚଳିତ ମାସ ୫ ରୁ ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କ୍ରୀଡ଼ା ମହୋତ୍ସବରେ ଜିଲ୍ଲାର ୧୪ଟି ବ୍ଲକରୁ କୋଚ୍, ମ୍ୟାନେଜର ଓ ଖେଳାଳିଙ୍କୁ ମିଶାଇ ସମୁଦାୟ ୫୬୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ବଲାଙ୍ଗିର ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରବୀର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମାନାଭ ସାମନ୍ତରାୟ, ସାଂସଦ ପ୍ରତିନିଧି ରାଜେଶ ଜୈନ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର, ବିଏସ୍‌ଏସ୍‌ଏ ସେକ୍ରେଟାରୀ ଶୁଭେନ୍ଦ୍ର ମହାନ୍ତି ଓ ପ୍ରତିଯୋଗିତା କନ୍‌ଭେନର ଧବଳେଶ୍ୱର ଦଳବେହରା ପ୍ରମୁଖ ମଞ୍ଚାସୀନ ଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିହାରିକା ନାଗ ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ କ୍ରୀଡ଼ା ଶିକ୍ଷକ ହେମନ୍ତ ପ୍ରଧାନ ମଞ୍ଚ ସଂଯୋଜନା କରିଥିଲେ । ଶେଷରେ ତୁରେକେଲା ବିଇଓ ଶାନ୍ତନୁ ପଢିହାରୀ ଉପସ୍ଥିତ ସମସ୍ତ ଅତିଥି, କ୍ରୀଡ଼ାବିତ୍ ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିରଞ୍ଚି ନାରାୟଣ ଦାଶ, ସୌମ୍ୟ ରଞ୍ଜନ ପାଣିଗ୍ରାହୀ, ବିନୋଦ ମହାପାତ୍ର, ଦୀନେଶ ମହାନନ୍ଦ, ମନୋଜ ମହାପାତ୍ର, ଉପେନ୍ଦ୍ର ଚନ୍ଦନ, ରାଜେନ୍ଦ୍ର ଧରୁଆ, ଡିଙ୍ଗର ମାଝୀ, କୁନୁ ବାରିକ ଓ ବ୍ଲକର ସମସ୍ତ ପିଇଟି- ପିଆଇ ପ୍ରମୁଖ ପରିଚାଳନାରେ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.