
ବଲାଙ୍ଗିର, (କେପିଏନ୍ଏସ୍) : ଆସନ୍ତା ତା. ୦୭.୧୦.୨୦୨୬ ରିଖ ଦିନ ଜିଲ୍ଲାସ୍ତରୀୟ ‘ସେବା ଜ୍ୟୋତି ଯାତ୍ରା’କୁ ସଫଳ କରିବା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତରଣୀ ସୁନା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଗୁଣନିଧି ମଲ୍ଲିକ ଏବଂ ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ‘ସେବା ଜ୍ୟୋତି ଯାତ୍ରା’ ଉପଲକ୍ଷେ ପଥରଚେପା ଛକକୁ ‘ସେବା ଜ୍ୟୋତି ଛକ’ ଭାବେ ନାମକରଣ କରାଯିବା ସହ ଏକ ଭବ୍ୟ ବାଇକ୍ ରାଲି ଓ ମଶାଲ ପଦଯାତ୍ରା ଅନୁଷ୍ଠିତ ହେବ । ଏହି ରାଲି କୋଶଳ କଳା ମଣ୍ଡଳ ପର୍ଯ୍ୟନ୍ତ ଆୟୋଜିତ ହେବ । କୋଶଳ କଳା ମଣ୍ଡଳରେ ରାଲି ପହଞ୍ଚିବା ପରେ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ମଶାଲ ଯାତ୍ରା ବଲାଙ୍ଗିର ଜିଲ୍ଲାର ପ୍ରମୁଖ ୫ଟି ନିର୍ବାଚନ ମଣ୍ଡଳୀରୁ ବାହାରି ଆସିବ । ଏହି ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ହରି ଓମ୍ ଶମ୍ଭୁ ନାରାୟଣ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝି, କ୍ରୀଡ଼ା ଛାତ୍ରାବାସ ଅଧିକ୍ଷକ ପରାଶର ବାଗ, ପୌରପାଳିକା ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା, ଆଞ୍ଚଳିକ ପରିବହନ ଅଧିକାରୀ ପ୍ରିୟବ୍ରତ ମହାନ୍ତିଙ୍କ ସମେତ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ପୋଲିସ ପ୍ରଶାସନର କର୍ମକର୍ତ୍ତା ଏବଂ ବିଭିନ୍ନ ବିଭାଗର ପ୍ରତିନିଧିମାନେ ଯୋଗଦେଇ ଯାତ୍ରାର ରୂପରେଖ, ସୁରକ୍ଷା ବ୍ୟବସ୍ଥା ଏବଂ ବିଭିନ୍ନ ବିଭାଗର ଦାୟିତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।