jayashree

ଝରିଆପାଣି ଗାଁରେ ଶିକ୍ଷା ବ୍ୟବସ୍ଥା ଚିନ୍ତାଜନକ, ନଦୀ ପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ

ମୁନିଗୁଡ଼ା, (ରମାକାନ୍ତ ପଡାଲ) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ କୁମୁଡ଼ାବାଲି ପଞ୍ଚାୟତ ଅନ୍ତର୍ଗତ ଝରିଆପାଣି ଗାଁରେ ଏବେ ବି ଶିକ୍ଷା ଓ ମୌଳିକ ସୁବିଧାର ଚିତ୍ର ଚିନ୍ତାଜନକ । ଗାଁକୁ ଯିବା ପାଇଁ ମୁଖ୍ୟ ରାସ୍ତାରୁ ପ୍ରାୟ ଦେଢ଼ କିଲୋମିଟର ଜଙ୍ଗଲ ରାସ୍ତା ପାର ହେବାକୁ ପଡ଼େ । ଏହାରି ମଧ୍ୟରେ ପଡ଼ୁଛି ଖରସ୍ରୋତା ସକଟା ନଦୀ । ଫଳରେ ଗାଁର ୧୬ଟି ପରିବାରର ୭୦ରୁ ଅଧିକ ଆଦିବାସୀ ଓ ଦଳିତ ପରିବାରର ପିଲାମାନେ ପ୍ରତିଦିନ ବିପଦସଙ୍କୁଳ ଭାବେ ନଦୀ ପାର ହୋଇ ସ୍କୁଲ୍ ଯାଉଛନ୍ତି । ବର୍ଷା ଦିନରେ ନଦୀର ଜଳସ୍ତର ବଢ଼ିଲେ ପିଲାଙ୍କ ପାଠପଢ଼ା ମଧ୍ୟ ପ୍ରଭାବିତ ହେଉଛି । ଗାଁରେ ନାହିଁ ବିଦ୍ୟାଳୟ, ନାହିଁ ଅଙ୍ଗନବାଡ଼ି କେନ୍ଦ୍ର । ଗମନାଗମନ ପାଇଁ ନାହିଁ ରାସ୍ତା କିମ୍ବା ନଦୀ ଉପରେ ପୋଲ । ଶିକ୍ଷା ସହ ସ୍ୱାସ୍ଥ୍ୟ ଓ ଯାତାୟାତ ଭଳି ମୌଳିକ ସୁବିଧାରୁ ମଧ୍ୟ ଗ୍ରାମବାସୀ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ପିଲାମାନଙ୍କ ପାଠପଢ଼ା ବନ୍ଦ ହୋଇ ଡ୍ରପ୍‌ଆଉଟ୍‌ ହେବାର ଆଶଙ୍କା ଥିବାରୁ ତୁରନ୍ତ ସମସ୍ୟାର ସମାଧାନ ଦାବି କରିଛନ୍ତି ଗ୍ରାମବାସୀ । ସୁବାସ ମହାନନ୍ଦ, ପୂର୍ଣ୍ଣ ଶବର, ରାଜେନ୍ଦ୍ର କନ୍ଧପାଣି ପ୍ରମୁଖ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ଗାଁକୁ ରାସ୍ତା, ପୋଲ ଓ ଶିକ୍ଷା ବ୍ୟବସ୍ଥା ଯୋଗାଇଦେବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.