
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ମାଗୁଲମାଲ ସ୍ଥିତ ମା’ ନିଶାନ ମନ୍ଦିର ପରିସରରେ ପାଇକମାଲ ବ୍ଲକ୍ କଳା ସଂସ୍କୃତି ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ଡୋଲାମଣି ପଟେଲ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରତାପ ସିଂ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି କୈଳାସ ଦିଶ୍ରୀ ଓ ଝାରବନ୍ଧ ବ୍ଲକର ସଞ୍ଚାର ଗୁରୁ ଚକ୍ରପାଣି ସେଠ ଯୋଗ ଦେଇଥିଲେ । ବୈଠକରେ କଳା ଓ କଳାକାରଙ୍କ ବିକାଶ ସହ ପାରମ୍ପରିକ କଳା ଓ ସଂସ୍କୃତିର ସୁରକ୍ଷା ଉପରେ ଆଲୋଚନା ହୋଇଥିଲା । ଏଥିସହ କଳା ସଂସ୍କୃତି ମଣ୍ଡପ ନିର୍ମାଣ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ମଣ୍ଡପ ନିର୍ମାଣ ନିମନ୍ତେ ଭାଙ୍ଗଖୁଟି ଗାଁର ଗୌନ୍ତିଆ କୈଳାସ ଦିଶ୍ରୀ ଜମି ଯୋଗାଇବା ସହ ଆର୍ଥିକ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଗାମୀ ଦିନରେ କଳା ଓ କଳାକାରଙ୍କ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେବା ସହ ଲୋକକଳା ଓ ସଂସ୍କୃତିର ସୁରକ୍ଷା ଦିଗରେ ସାମୂହିକ ଉଦ୍ୟମ ନେବାକୁ ମତ ପ୍ରକାଶ ପାଇଥିଲା । ସଭାରେ ଶୁକଦେବ ବେରିଆ, ଗଣେଶ ସୁନା, ଡୋଲାମଣି ସାହୁ, ଶାନ୍ତିଲାଲ ପ୍ରଧାନ, ବିଭୀଷଣ ସାହୁ, ସହଦେବ ଥପା, ବ୍ରହ୍ମାନନ୍ଦ ବନଛୋର, ଆଦି ସୁନା, ନାରାୟଣ ଥପା, ଗୋପବନ୍ଧୁ ସାହୁଙ୍କ ସମେତ ବହୁ କଳାକାର ଉପସ୍ଥିତ ଥିଲେ । ଶେଷରେ ଗଣେଶ ସୁନା ଧନ୍ୟବାଦ ଅର୍ପଣ କରିଥିଲେ ।