
କଟକ, (ସସ୍ମିତା ପ୍ରଧାନ) : ପବିତ୍ର ଗାନ୍ଧୀଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ କୈବଲ୍ୟ ସାହିତ୍ୟ ସଂସଦର ୧୧୪ ତମ ବିକଶିତ ଭାରତ ମହୋତ୍ସବ ନେତାଜୀ ପବ୍ଲିକ ସ୍କୁଲ, ଡଗରପଡା ଠାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅତିଥିବୃନ୍ଦ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଲଲାଟେନ୍ଦୁ ବଡୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଭାରତୀୟ ଜନତା ପାର୍ଟି ଉଦ୍ଘାଟନ କରି ବିକଶିତ ଭାରତ ଗଠନରେ ଯୁବ ଏବଂ ଛାତ୍ର ସମାଜର ଭୂମିକାକୁ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ନିଧିକୁମାର ରାଉତରାୟ, ପ୍ରାକ୍ତନ ସ୍ୱତନ୍ତ୍ର ଶାସନ ସଚିବ, ଅର୍ଥ ବିଭାଗ ଜାତିସଂଘ ଏବଂ ଭାରତୀୟ ଅର୍ଥ କମିଶନଙ୍କ ସଦ୍ୟ ଆକଳନ ତଥ୍ୟକୁ ବ୍ୟାଖ୍ୟା କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ୱ କରି ବିକଶିତ ଭାରତ ଗଠନରେ ଛାତ୍ର ସମାଜ, ମହିଳା ସମାଜ, କୃଷକ ସମାଜ ଏବଂ ଶ୍ରମିକ ସମାଜର ସାମଗ୍ରିକ ଆର୍ଥିକ, ସାମାଜିକ ଏବଂ ଆଧ୍ୟାତ୍ମିକ ଚେତନା ବିକାଶ ଉପରେ ନିର୍ଭର କରେ ବୋଲି ତଥ୍ୟ ଭିତ୍ତିକ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଡ଼କ୍ଟର ବୈଜୟନ୍ତୀ ମିଶ୍ର ମହାତ୍ମା ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କ ଜୀବନ ଦର୍ଶନ ବିକଶିତ ଭାରତ ଗଠନର ଆୟୁଧ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଡ଼କ୍ଟର ଦିଲୀପ ସେନାପତି, ଡ଼କ୍ଟର ଭାବଗ୍ରାହୀ ରାଉତ, ଲଳିତେନ୍ଦୁ ପଲାଉରି, ଡଃ. ଧର୍ମଛଡା, ଡଃ. ତୋଫାନ ଜେନା, ଡା. ଆଲୋକ କୁମାର ସାହୁ, କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତି, ଅଧ୍ୟାପକ ଅଶୋକ କୁମାର ପଣ୍ଡା, ଶ୍ରୀମତୀ କବିତା ନାୟକଓ ଚୈତନ୍ୟ ରାଉତ ଯୋଗଦାନ କରି ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ଗଠନରେ ସମାଜର ଦାୟିତ୍ୱବୋଧ ବିଷୟରେ ବିବରଣୀ ପ୍ରଦାନ କରିଥିଲେ । ସତ୍ୟ ସନାତନ ବୈଦିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଚାରି ବେଦ ପାଠ କରି ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲେ । ଉପସ୍ଥିତ ଶତାଧିକ ଛାତ୍ରଛାତ୍ରୀ “ବିକଶିତ ଭାରତ” ଶୀର୍ଷକରେ ଚିତ୍ରାଙ୍କନ ପ୍ରଦର୍ଶନ କରିଥିଲେ । ଅନୁଷ୍ଠାନ ତରଫରୁ “ବିକଶିତ ଭାରତ ବିଦ୍ୟାର୍ଥୀ ପ୍ରେରଣା ପୁରସ୍କାର” ପ୍ରଦାନ କରାଯାଇଥିଲା । କବି ଅଜୟ କୁମାର ପଣ୍ଡାଙ୍କ କବିତା ସଂକଳନ “ସ୍ୱର୍ଣ୍ଣିମ ସକାଳ” ଉନ୍ମୋଚିତ ହୋଇଥିଲା । ଜଗନ୍ନାଥ ଜଣାଣ ଏବଂ ଦେଶାତ୍ମବୋଧ କବିତା ପାଠ କରାଯାଇଥିଲା । ବ୍ରହ୍ମକୁମାର ଲଳିତ ଭାଇ ଶାନ୍ତି ମନ୍ତ୍ରପାଠ କରି ଧନ୍ୟବାଦ ଅର୍ପଣ କରିଥିଲେ ।