
- ଜଳର ଗୁଣବତ୍ତା, ସଞ୍ଚୟ ଓ ସୁବ୍ୟବହାର ଉପରେ ଗୁରୁତ୍ୱ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଭାନପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଶୁକ୍ରବାର ‘ଜଳ ଅର୍ପଣ ଦିବସ’ ପାଳିତ ହୋଇଯାଇଛି । ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରଗନ କୁମାର କିଷାନଙ୍କ ନେତୃତ୍ୱରେ ଆୟୋଜିତ ଏହି ସଚେତନତାମୂଳକ କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଓ ନିରାପଦ ଜଳ ବ୍ୟବହାର ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବଲ୍ଲଭ ଧରୁଆ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସ୍ଥାନୀୟ ତହସିଲଦାର ସତ୍ୟ ସୁନ୍ଦର ରାଉତରାୟ, ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗର ଏସ୍ଡିଓ ପ୍ରୀତମ ମେହେର, ଭାନପୁର ସରପଞ୍ଚ ଶ୍ରୀମତୀ ରୀନା ଜାଲ, ବିଧାୟକ ପ୍ରତିନିଧି ପଦ୍ମନ ସିଂ ବରିହା ଏବଂ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ଶ୍ୟାମ କୁମାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଏହି ଅବସରରେ ବକ୍ତାମାନେ ଜଳ ହେଉଛି ଜୀବନର ମୁଖ୍ୟ ଆଧାର ବୋଲି ଉଲ୍ଲେଖ କରିବା ସହ ଏହାର ଅପଚୟ ରୋକିବା, ଜଳର ଗୁଣବତ୍ତା ବଜାୟ ରଖିବା ଏବଂ ଆଗାମୀ ପିଢ଼ି ପାଇଁ ଜଳସମ୍ପଦ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଘରୋଇ ଓ ସାଧାରଣ ଜୀବନରେ ଜଳର ସୁବିଚାରିତ ବ୍ୟବହାର ସହ ଜଳ ସଞ୍ଚୟକୁ ଏକ ସାମୂହିକ ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଥିଲା । କାର୍ଯ୍ୟକ୍ରମରେ କନିଷ୍ଠ ଯନ୍ତ୍ରୀ ଚିନ୍ମୟ ପଧାନଙ୍କ ସମେତ ସ୍ଥାନୀୟ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗର ସମସ୍ତ କର୍ମଚାରୀ, ସ୍ଥାନୀୟ ଗ୍ରାମବାସୀ, ଉପସ୍ଥିତ ଥିଲେ ।