jayashree

ମାଝୀପଡାରେ ଆନ୍ତର୍ଜାତୀୟ ଅହିଂସା ଦିବସ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଅନ୍ତର୍ଗତ ଷୋହଳଗୋଟି ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯାଇଥିଲା । ଏହି ଅବସରରେ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଅହିଂସା ଦିବସ ପାଳନ କରାଯାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ନଳିନୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ହିଆଲ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ଶିକ୍ଷକ ଥମିର ଛତ୍ରିଆ ମୁଖ୍ୟବକ୍ତା, ସମାଜସେବୀ ସହଦେବ ମାଝୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଶିକ୍ଷକ କିଶୋର ବରିହା ସ୍ୱାଗତ ଅଭିଭାଷଣ ଦେଇଥିଲେ । ଶିଶୁ ସେବିକା ତୀରବତି ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବ ପ୍ରଥମେ ମହାତ୍ମାଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ଧୂପଦୀପ ପ୍ରଦାନ କରାଯାଇଥିଲା । ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ତ୍ୟାଗ ଗୁଣକୁ ଛାତ୍ରଛାତ୍ରୀ ଆପଣେଇବା ସହିତ ନିଶାମୁକ୍ତ କରିପାରିଲେ ଆମ ଦେଶ ଏକ ଆଦର୍ଶ ଦେଶରେ ପରିଣତ ହୋଇପାରିବ ବୋଲି ଅତିଥିମାନେ ମତ ଦେଇଥିଲେ । ଦିନଟିକୁ ସ୍ମରଣୀୟ କରିବା ପାଇଁ ଛାତ୍ରୀମାନେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ । ତାପରେ ବିଦ୍ୟାଳୟ ସ୍ତରରେ ସୁରଭି ପାଇଁ ହୋଇଥିବା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ତାପରେ ଶ୍ରୀ ଦାଶଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅତିଥିମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା । ସକାଳୁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରାମଧୂନ ଗାଇ ଗ୍ରାମ ପରିକ୍ରମା କରାଯାଇଥିଲା । ଶେଷରେ ମିଷ୍ଟାନ୍ନ ଓ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପପି ଦାସ, କୁନ୍ତି ମାଝୀ, ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ସହଯୋଗ କରିଥିଲେ ।

Leave A Reply

Your email address will not be published.