
- ବରିଷ୍ଠଙ୍କ ସମ୍ମାନ ଓ ସୁସ୍ଥ ଜୀବନ ଯାପନ ଉପରେ ଗୁରୁତ୍ୱ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ସଂସ୍କୃତି ଭବନଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିୟ ବରିଷ୍ଠ ନାଗରିକ ଦିବସ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ଜିଲ୍ଲା ସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସକାଳ ୭ଟାରେ ବରିଷ୍ଠ ନାଗରିକମାନଙ୍କ ପାଇଁ ପ୍ରଥମେ ଯୋଗ ଅଧିବେଶନ ଆୟୋଜିତ ହୋଇଥିଲା । ପରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା । ପରେ ସଂସ୍କୃତି ଭବନର ସଭାଗୃହରେ ଅନୁଷ୍ଠିତ ସାଧାରଣ ସଭାରେ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ସୋନପୁର ଉପଜିଲ୍ଲାପାଳ ଡ଼. ସୌମ୍ୟାରୂପା ରଥ, ଜିଲ୍ଲା ଆଇନ ପ୍ରାଧିକରଣ ସଚିବ ଦେବାଶିଷ ଦାଶ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ଓ ସିଡିଏମଓ ଉଷାରାଣୀ ଦାଶ ପ୍ରମୁଖ ଅତିଥିମାନେ ଉପସ୍ଥିତ ଥିଲେ । ଶ୍ରୀ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ବକ୍ତାମାନେ କହିଥିଲେ ଯେ, ବରିଷ୍ଠ ନାଗରିକମାନେ ହେଉଛନ୍ତି ଆମ ସମାଜର ଅନୁଭବର ଭଣ୍ଡାର । ସେମାନଙ୍କୁ ସମ୍ମାନ ଓ ସୁରକ୍ଷା ଦେବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ । ସରକାରଙ୍କ ତରଫରୁ ବରିଷ୍ଠ ନାଗରିକମାନଙ୍କ ପାଇଁ ଚାଲିଥିବା ମଧୁବାବୁ ପେନସନ ଯୋଜନା, ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଏବଂ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନା ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ନାଗରିକଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ଉଷାରାଣୀ ଦାସ ବରିଷ୍ଠ ନାଗରିକମାନେ କିପରି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ, ଦୈନନ୍ଦିନ ଜୀବନରେ ସନ୍ତୁଳନ ବଜାୟ ରଖିବେ ଏବଂ ସେମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସୁବିଧା ଓ ସେବା ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକମାନଙ୍କ ପାଇଁ ବିଭିନ୍ନ ଖେଳକୁଦ ଓ ମନୋରଞ୍ଜନମୂଳକ କାର୍ଯ୍ୟକ୍ରମ ସହିତ ଆଲୋଚନା ଓ ଭାବ ବିନିମୟ ଅଧିବେଶନ ଆୟୋଜିତ ହୋଇଥିଲା । ସଭାରେ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ବରିଷ୍ଠ ନାଗରିକମାନଙ୍କ ପ୍ରତି ସମ୍ମାନ ଓ ଯତ୍ନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ପିଢ଼ି ମଧ୍ୟରେ ଥିବା ଦୂରତାକୁ ଦୂର କରି ବରିଷ୍ଠ ନାଗରିକମାନଙ୍କୁ ପରିବାର ଓ ସମାଜରେ ଉଚିତ ସମ୍ମାନ ଦେବା ଆବଶ୍ୟକ ବୋଲି ସେ କହିଥିଲେ । ଅନ୍ୟ ଅତିଥିମାନେ ମଧ୍ୟ ବୟସ କେବଳ ଏକ ସଂଖ୍ୟା ମାତ୍ର ବୋଲି ଉଲ୍ଲେଖ କରିବା ସହ ବରିଷ୍ଠ ନାଗରିକମାନଙ୍କୁ ଉଚିତ ସମ୍ମାନ ଓ ସୁରକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଆଇନ ସେବା ପ୍ରାଧିକରଣ ସଚିବ ଦେବାଶିଷ ଦାଶ ବୟସ୍କ ମାତାପିତାଙ୍କ ଯତ୍ନ ନେବାରେ ସନ୍ତାନମାନେ ଅବହେଳା କଲେ କେଉଁ ଆଇନଗତ ପଦକ୍ଷେପ ନିଆଯାଇପାରିବ, ସେ ସମ୍ପର୍କରେ ମଧ୍ୟ ସଭାରେ ସଚେତନ କରାଯାଇଥିଲା । ସମଗ୍ର କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମାନଙ୍କ ସୁସ୍ଥ, ସମ୍ମାନଜନକ ଓ ସୁରକ୍ଷିତ ଜୀବନଯାପନ ସହ ସେମାନଙ୍କ ଅଧିକାର ପ୍ରତି ସମାଜର ଦାୟିତ୍ୱ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।