
୯ ଦିନିଆ ଜାତୀୟ ନାଟ୍ୟ ମହୋତ୍ସବର ଉଦ୍ଯାପନୀ ସନ୍ଧ୍ୟାରେ ଦର୍ଶକଙ୍କୁ ବିମୋହିତ କଲା ଭୁବନେଶ୍ୱରର ନାଟକ “ସମକାଳ”
ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆମେ, ବାରିପଦା ଆନୁକୂଲ୍ୟରେ ଆୟୋଜିତ ୨ୟ ବାର୍ଷିକ ୯ ଦିନିଆ ନାଟ୍ୟ ମହୋତ୍ସବର ଉଦ୍ଯାପନୀ ସନ୍ଧ୍ୟାରେ ଏକ ମାତ୍ର ନାଟକ ଅଜିତ, ଭୁବନେଶ୍ୱର ପ୍ରଯୋଜିତ ଏବଂ ଶଙ୍କର ତ୍ରିପାଠୀଙ୍କ ରଚିତ ଓ ଅମନଙ୍କ ନିର୍ଦ୍ଦେଶିତ ନାଟକ “ସମକାଳ” ମଞ୍ଚସ୍ଥ ହୋଇଥିଲା । ଡ. ମାୟା ଦାସ ମଞ୍ଚ ପରିଚାଳନା କରିଥିଲେ । ନାଟକରେ କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା । ଆୟୋଜନ କମିଟିର ସଭାପତି ଡା. କୈଳାସ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ଅତିରିକ୍ତ ଜିଲ୍ଲାପାଳ, ମୟୁରଭଞ୍ଜ ନେତ୍ରାନନ୍ଦ ମଲ୍ଲିକ, ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ସର୍ବୋଚ୍ଚ ନ୍ୟାୟାଳୟର ସରକାରୀ ପ୍ଲିଡ଼ର ଜୀବନ କୁମାର ସାହୁ, ଶିକ୍ଷାବିତ ମେଜର ଡ. କଳ୍ପନା ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିବା ସହ ମହୋତ୍ସବର ସଫଳତା ପାଇଁ ଆୟୋଜନ କମିଟିର ପ୍ରଶଂସା କରିଥିଲେ । ଏହି ଅବସରରେ ସ୍ମରଣିକା “ନାଟ୍ୟ ସଙ୍ଗମ” ଅତିଥିମାନଙ୍କ ହାତରେ ଉନ୍ମୋଚିତ ହୋଇଯାଇଛି । ଡ. ପୁଷ୍ପା ପାତ୍ର ଓ ଡ. ଅସୀମା ସାହୁ ସ୍ମରଣିକା ସମ୍ପାଦନାରେ ସହଯୋଗ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେନୀୟ ଅବଦାନ ପାଇଁ ମୟୂରଭଞ୍ଜ ମହା ସମ୍ମାନ, ସ୍ମୃତି ସମ୍ମାନରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ତତ୍ସହିତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାର ଚମ୍ପିୟାନ ଓ ରନର୍ସ ଅପ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ବାରିପଦା ତଥା ଜିଲ୍ଲାର ୧୮ ଜଣ ନାରୀ ଅଭିନେତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରି ଉତ୍ସାହିତ କରାଯାଇଥିଲା । ବିଶିଷ୍ଠ ଅଭିନେତା ଓ ନିର୍ଦ୍ଦେଶକ ତଥା କମିଟିର ସମ୍ପାଦକ ଚିନ୍ମୟ ଦାସ ପଟ୍ଟନାୟକଙ୍କୁ ସ୍ୱତନ୍ତ୍ର ଭାବେ ଡ. କଳ୍ପନା ଦାଶ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ଦାସ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ।