jayashree

ବଲାଙ୍ଗିର ସଦର ବ୍ଲକ ଶିକ୍ଷାଧିକାରୀ ଭାବେ ଦିଲୀପ କୁମାର ଯୋଶୀଙ୍କ ଯୋଗଦାନ

  • “ଶିକ୍ଷକତାରୁ ବ୍ଲକ ଶିକ୍ଷା ଅଧିକାରୀ —ଦୀର୍ଘ ଅଭିଜ୍ଞତାର ଅଧିକାରୀଙ୍କ ନୂଆ ଦାୟିତ୍ୱ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକର ନୂତନ ବ୍ଲକ ଶିକ୍ଷାଧିକାରୀ (ବିଇଓ) ଭାବେ ଦିଲୀପ କୁମାର ଯୋଶୀ ଯୋଗଦାନ କରିଛନ୍ତି । ଦୀର୍ଘ ବର୍ଷର ଶିକ୍ଷକତା ଅଭିଜ୍ଞତା, ବିଦ୍ୟାଳୟ ପରିଚାଳନା ଓ ଶିକ୍ଷା ପ୍ରଶାସନରେ ଅନୁଭବ ହାସଲ କରିଥିବା ଶ୍ରୀ ଯୋଶୀଙ୍କ ବଲାଙ୍ଗିର ସଦର ବ୍ଲକ ଶିକ୍ଷାଧିକାରୀ ଭାବେ ଯୋଗଦାନକୁ ଶିକ୍ଷା ମହଲରେ ସ୍ୱାଗତ କରାଯାଇଛି । ସୂଚନାନୁସାରେ, ଶ୍ରୀ ଯୋଶୀ ନିଜର କର୍ମମୟ ଜୀବନର ଦୀର୍ଘ ସମୟ ପର୍ଶୁରାମ ଉଚ୍ଚ ବିଦ୍ୟାଳୟ, କୁଡାସିଂହାରେ ଶିକ୍ଷକ ଭାବେ କାର୍ଯ୍ୟ କରି ଶିକ୍ଷାଦାନ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ କଳା ଓ ସୃଜନଶୀଳତାର ବିକାଶ ସହିତ ଶିକ୍ଷାଦାନରେ ନିଜର ଅଭିଜ୍ଞତା ସେ ଦୀର୍ଘ ସମୟ ଧରି ବାଣ୍ଟି ଆସିଥିଲେ । ପରବର୍ତ୍ତୀ ସମୟରେ ସିନିୟର୍ ଏସ୍‌ଇଏସ୍‌ ଭାବେ ପଦୋନ୍ନତି ପାଇ ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହା ଉଚ୍ଚ ବିଦ୍ୟାଳୟରେ ଦାୟିତ୍ୱ ଗ୍ରହଣ କରି ଶିକ୍ଷାଦାନ ସହିତ ବିଦ୍ୟାଳୟର ଶୈକ୍ଷିକ ଓ ପ୍ରଶାସନିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ । ପରେ ଆଟଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ବଦଳି ହୋଇ ଶିକ୍ଷାଦାନ ବ୍ୟବସ୍ଥା, ଶୃଙ୍ଖଳା, ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶ ଓ ବିଭିନ୍ନ କାର୍ଯ୍ୟକ୍ରମର ପରିଚାଳନାରେ ଅଭିଜ୍ଞତା ଅର୍ଜନ କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସେ ସଇଁତଳା ବ୍ଲକ ଶିକ୍ଷାଧିକାରୀ (ବିଇଓ) ଭାବେ ଦାୟିତ୍ୱ ତୁଲାଇଥିଲେ । ବ୍ଲକ ଶିକ୍ଷା ପ୍ରଶାସନରେ କାର୍ଯ୍ୟ କରିବା ଫଳରେ ବିଦ୍ୟାଳୟ ପରିଚାଳନା, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମସ୍ୟା, ଛାତ୍ରଛାତ୍ରୀଙ୍କ ଶିକ୍ଷା, ସରକାରୀ ଶିକ୍ଷା ଯୋଜନାର କାର୍ଯ୍ୟାନ୍ୱୟନ ଆଦି କ୍ଷେତ୍ରରେ ତାଙ୍କର ପ୍ରଶାସନିକ ଅଭିଜ୍ଞତା ଆହୁରି ସମୃଦ୍ଧ ହୋଇଥିଲା । ସ୍କୁଲ ଶିକ୍ଷକରୁ ପ୍ରଧାନଶିକ୍ଷକ, ପରେ ବ୍ଲକ ଶିକ୍ଷାଧିକାରୀ ଏବଂ ଏବେ ବଲାଙ୍ଗିର ସଦର ବ୍ଲକ ଶିକ୍ଷାଧିକାରୀ ଭାବେ ଦାୟିତ୍ୱ ଗ୍ରହଣ ଶ୍ରୀ ଯୋଶୀଙ୍କ ଏହି ଦୀର୍ଘ କର୍ମଯାତ୍ରା ଶିକ୍ଷା କ୍ଷେତ୍ରରେ ତାଙ୍କର ଅନୁଭବ ଓ ଦାୟିତ୍ୱବୋଧର ପରିଚୟ ବହନ କରୁଛି । ସ୍କୁଲ ଓ ଛାତ୍ରଛାତ୍ରୀଙ୍କ ସହ ପ୍ରତ୍ୟକ୍ଷ ଭାବେ ଦୀର୍ଘଦିନ କାମ କରିଥିବାରୁ ତୃଣମୂଳସ୍ତରର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ତାଙ୍କର ଭଲ ଅଭିଜ୍ଞତା ରହିଛି । ଏହି ଅଭିଜ୍ଞତାକୁ ନେଇ ବଲାଙ୍ଗିର ସଦର ବ୍ଲକର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା, ବିଦ୍ୟାଳୟଗୁଡ଼ିକରେ ଶୈକ୍ଷିକ ପରିବେଶକୁ ଉନ୍ନତ କରିବା ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ଦିଗରେ ସେ ଗୁରୁତ୍ୱ ଦେବେ ବୋଲି ଶିକ୍ଷା ମହଲରେ ଆଶା ପ୍ରକାଶ ପାଇଛି । ଉଲ୍ଲେଖଯୋଗ୍ୟ, ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ୨୫ ସେପ୍ଟେମ୍ବର ୨୦୨୬ ତାରିଖର ନୋଟିଫିକେସନ ଅନୁଯାୟୀ ସଇଁତଲା ବିଇଓ ଦିଲୀପ କୁମାର ଯୋଶୀଙ୍କୁ ବଲାଙ୍ଗିର ସଦର ବ୍ଲକର ବିଇଓ ଭାବେ ବଦଳି ଓ ପଦସ୍ଥାପନ କରାଯାଇଛି ।

Leave A Reply

Your email address will not be published.