jayashree

ପିକଅପ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା : ଡ୍ରାଇଭର ମୃତ, ହେଲ୍ପର ଗୁରୁତର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜାତୀୟ ରାଜପଥ ୨୬ କୋକସରା ସହର ମଧ୍ୟରେ ଆଜି ମଧ୍ୟାହ୍ନରେ ଏକ ମାଲପରିବହନ ଟ୍ରକ ଓ ପିକଅପ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ସ୍ଥାନାନ୍ତର ସମୟରେ ପିକଅପ ଭ୍ୟାନ ଡ୍ରାଇଭର ମୃତ ହୋଇଥିବା ବେଳେ ହେଲ୍ପର ଗୁରୁତର ଥିବା ସୂଚନା ମିଳିଛି । ମୃତ ଡ୍ରାଇଭର ପାପଡାହାଣ୍ଡି ଗ୍ରାମର ନନ୍ଦ ଭତରା ଏବଂ ଗୁରୁତର ହେଲ୍ପର ମଙ୍ଗଲୁ ମୁଦୁଲି ବୋଲି ସୂଚନା ମିଳିଛି । ସୂଚନା ମତେ, ସୋମବାର ବୋରିଗୁମାରୁ ଭବାନୀପାଟଣା ଯାଉଥିବା ଏକ ପିକଅପ (ଓଡ଼ି୧୦ ଭି ୭୦୭୯) ତାମିଲନାଡୁ ରାଜ୍ୟର ଟ୍ରକ (ଟି ଏନ୫୨ ଏଚ ୨୪୭୭) ମଧ୍ୟରେ କୋକସରା ଶିବ ମନ୍ଦିର ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ପିକଅପ ଗାଡିର ପଛ ଟାୟାର ଫାଟି ଯିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ବେଳେ ଧକ୍କା ଏତେ ତୀବ୍ରତର ହୋଇଥିଲା ଗାଡିର ଡ୍ରାଇଭର ଓ ହେଲ୍ପର ଗାଡି ମଧ୍ୟରେ ଫସି ରହିଥିଲେ । ସ୍ଥାନୀୟ କୋକସରା ଗ୍ରାମର ଯୁବକ ମାନେ ଏନେଇ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସୂଚନା ଦେବାପରେ ଉଭୟ ବିଭାଗୀୟ କର୍ମଚାରୀ ପହଞ୍ଚି ଗାଡିରେ ଫସି ରହିଥିବା ଡ୍ରାଇଭର ଓ ହେଲ୍ପରଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ସଙ୍କଟାପନ୍ନ ଅବସ୍ଥାରେ ଥିବା ଡ୍ରାଇଭରକୁ ଭବାନୀପାଟଣା ମେଡ଼ିକାଲକୁ ସ୍ଥାନାନ୍ତରିତ ସମୟରେ ଆମ୍ବୁଲାନ୍ସରେ ହିଁ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଲ୍ପରର ଚିକିତ୍ସା ଚାଲିଛି । କୋକସରା ପୋଲିସ ପକ୍ଷରୁ ଉଭୟ ଗାଡିକୁ ଜବତ ସହ ମୃତକ ଡ୍ରାଇଭରଙ୍କ ପରିବାରକୁ ସୂଚନା ଦିଆଯାଇଛି । ଟ୍ରକ ଡ୍ରାଇଭରକୁ ଅଟକ ରଖାଯାଇଥିବା ନେଇ କୋକସରା ଥାନା ଅଧିକାରୀ ଡମ୍ବରୁ ଧର ଭର୍ତିଆ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.