
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ପାଖେଇ ଆସୁଛି ପାର୍ବଣ ଋତୁ । ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ଠାରୁ ପାର୍ବଣ ଋତୁ ଆରମ୍ଭ ହୋଇ କାଳିପୂଜା ଯାଏଁ ଚାଲିଥାଏ । ମୂର୍ତ୍ତି କାରିଗର ମାନେ ନିଜ କାରିଗର ଶାଳାରେ ଭଳିକି ଭଳି ଗଣେଶଙ୍କ ମାଟି ମୂର୍ତ୍ତି ତିଆରିରେ ନିମଗ୍ନ ରହିଛନ୍ତି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ଚାଲିଛି ମୂର୍ତ୍ତି ନିର୍ମାଣ କାମ । ପାର୍ବଣ ଋତୁ ପାଇଁ ଏବେ ଅନେକ କଳାକାର ପରିବାର ମାନେ ରୋଜଗାର ଆଶାରେ ଧାର କରଜ ଆଣି ମୂର୍ତ୍ତି ତିଆରିରେ ଲାଗିଛନ୍ତି । ଗଣେଶ ପୂଜା ପରେ ବିଶ୍ଵକର୍ମା, ଦୁର୍ଗାପୂଜା, କାଳିପୂଜା ଆଦି ପୂଜା ଆସୁଛି । ବଙ୍ଗୋମୁଣ୍ଡା ଅଞ୍ଚଳର ଜଣେ ଖ୍ୟାତନାମା ମୂର୍ତ୍ତି କାରିଗର ସନାତନ ସା ଲାଗି ପଡିଛନ୍ତି । ଗଣେଶ ଚତୁର୍ଥୀକୁ ନେଇ ଚଳଚଞ୍ଚଳ ହେଲାଣି ପୂଜା ବଜାର । ଆଉ କିଛି ଦିନ ପରେ ବିଘ୍ନବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା । ଏହାକୁ ନେଇ ସହର ଠାରୁ ଗାଁ ପର୍ଯ୍ୟନ୍ତ ଉତ୍ସବର ମାହୋଲ ସୃଷ୍ଟି ହେବାକୁ ଲାଗିଛି । ଗଣେଶ ପୂଜା ପାଇଁ ମୂର୍ତ୍ତି କାରିଗରମାନେ ଦିନରାତି ଏକ କରି ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ରହିଥିବା ବେଳେ, ପୂଜା ସାମଗ୍ରୀ ଓ ସାଜସଜ୍ଜା ସାମଗ୍ରୀ ବ୍ୟବସାୟୀମାନେ ଗ୍ରାହକଙ୍କ ଆଗମନକୁ ଅପେକ୍ଷା କରିଛନ୍ତି । କାରିଗରଙ୍କ ହାତର ସ୍ପର୍ଶରେ ମାଟିର ଗଣେଶ ମୂର୍ତ୍ତି ଧୀରେଧୀରେ ରୂପ ନେଉଛି । କେହି ମୂର୍ତ୍ତିର ଆକାର ଦେଉଛନ୍ତି ତ ଆଉ କେହି ରଙ୍ଗ ଓ ଅଳଙ୍କାରରେ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ । ଛୋଟ ମୂର୍ତ୍ତିଠାରୁ ଆରମ୍ଭ କରି ବଡ଼ ବଡ଼ ଆକର୍ଷଣୀୟ ମୂର୍ତ୍ତି ପର୍ଯ୍ୟନ୍ତ ତିଆରି ହେଉଛି । ପୂଜା କମିଟି ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମୂର୍ତ୍ତି ପାଇଁ ଆଗୁଆ ବରାଦ ମଧ୍ୟ ଦିଆଯାଉଛି । ଅନ୍ୟପଟେ ପୂଜାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ମଧ୍ୟ ଆଶା ବଢ଼ିଛି । ଫୁଲମାଳ, ପୂଜା ସାମଗ୍ରୀ, ଲାଇଟ୍, ତୋରଣ, ଡେକୋରେସନ୍ ସାମଗ୍ରୀ ଓ ବିଭିନ୍ନ ପ୍ରକାରର ସାଜସଜ୍ଜା ସାମଗ୍ରୀ ଦୋକାନରେ ସଜାଇ ରଖାଯାଉଛି । ପୂଜା ନିକଟତର ହେବା ସହ ଗ୍ରାହକଙ୍କ ଭିଡ଼ ବଢ଼ିବ ଏବଂ ବ୍ୟବସାୟରେ ଭଲ ରୋଜଗାର ହେବ ବୋଲି ବ୍ୟବସାୟୀମାନେ ଆଶାବାଦୀ । ତେବେ ମୂର୍ତ୍ତି ନିର୍ମାଣରେ ପରିବେଶ ସୁରକ୍ଷା ଓ ପ୍ରଶାସନର ନିୟମାବଳୀ ପାଳନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ପରିବେଶ ଅନୁକୂଳ ମାଟିରେ ମୂର୍ତ୍ତି ତିଆରି କରିବା ସହ ପ୍ରାକୃତିକ ରଙ୍ଗ ବ୍ୟବହାର ପାଇଁ ସଚେତନତା ବଢ଼ୁଛି । ଗଣେଶ ପୂଜା କେବଳ ଧାର୍ମିକ ଉତ୍ସବ ନୁହେଁ, ଏହା ସ୍ଥାନୀୟ କାରିଗର, ଶିଳ୍ପୀ ଓ ଛୋଟ ବ୍ୟବସାୟୀଙ୍କ ପାଇଁ ରୋଜଗାରର ଏକ ବଡ଼ ସୁଯୋଗ ମଧ୍ୟ ଆଣିଥାଏ । ବ୍ୟବସାୟୀଙ୍କ ଆଖି ରହିଛି ଗ୍ରାହକଙ୍କ ଆଗମନ ଉପରେ । ଗଣେଶ ଚତୁର୍ଥୀ ପାଖେଇ ଆସୁଥିବା ବେଳେ କାରିଗରଙ୍କ ହାତରେ ଗଢ଼ା ହେଉଛନ୍ତି ବିଘ୍ନବିନାଶକ ।