jayashree

ମାକ୍ରିପଡ଼ା ଅଞ୍ଚଳରେ ଦୁର୍ବୃତ୍ତଙ୍କ ଦୁଇଟି ଅସାମାଜିକ କାମକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଲେବଡ଼ା ପଞ୍ଚାୟତର ମାକ୍ରିପଡ଼ା, ସରଧାପୁର ତଥା ଗଣ୍ଡପଦର ଭଳି ଗ୍ରାମାଞ୍ଚଳଗୁଡ଼ିକରେ ଅସାମାଜିକ ତତ୍ତ୍ୱଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ତିନି ଗୋଟି ଗ୍ରାମର ଜନଜୀବନରୁ ଆରମ୍ଭ କରି ପଶୁପକ୍ଷୀ ନିର୍ଭର କରୁଥିବା ଶାଗୁଣା ମୁଣ୍ଡାର ପାଣି ଦୁଇଦିନ ତଳେ ଏକ କୃତ୍ରିମ ପୋଲ ଦେଇ ବାହାରୁଥିଲା । ଯାହା ଫଳରେ ତିନିଟି ଗାଁ ଲୋକମାନଙ୍କର ଚିନ୍ତା ବଢ଼ିବା ସହିତ ମୁଣ୍ଡା ତଳେ ଥିବା ଚାଷୀମାନଙ୍କର ଚିନ୍ତା ମଧ୍ୟ ବଢ଼ାଉଥିଲା । ଏହି ଘଟଣା ଜାଣିବା ପରେ ଗ୍ରାମର ଭଦ୍ରବ୍ୟକ୍ତି ସଦାନନ୍ଦ ବନଛୋର, ସାଧୁଚନ୍ଦ୍ର ଛତର, ଡମ୍ବରୁ ଭୋଇ, ସନ୍ତ ଛତର, ସିମାନ ଗୌଡ଼, ସମିତି ସଭ୍ୟ ଦୁଷ୍ମନ୍ତ ନାଗ, କେଶର ରଣା, ଭୋଜରାଜ ଭୋଇ, ପିତ ଛତର, ଶେଖର ରଣା, ତରଙ୍ଗ ଭୋଇଙ୍କ ସମେତ ଗ୍ରାମର ବହୁ ଭଦ୍ର ବ୍ୟକ୍ତିମାନେ ଟ୍ରାକ୍ଟର ସାହାଯ୍ୟରେ ମାଟି ଆଣି ପାଣିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ପାଖରେ ଗୋଟିଏ ବଡ ବାଉଁଶ ନଳା ପଶାଯାଇଥିବା ଦେଖି ଏହା କୌଣସି ଅସାମାଜିକ ଦୁର୍ବୃତ୍ତଙ୍କ କାମ ବୋଲି ଗାଁରେ ଆଲୋଚନା ହୋଇଥିଲା । ଦରକାର ପଡ଼ିଲେ ଆଇନର ଆଶ୍ରୟ ବି ନିଆଯାଇ ଅସାମାଜିକ ଯୁବକଙ୍କୁ ଧରାଯିବ ବୋଲି ଗାଁରେ ଆଲୋଚନା ହେଉଛି । ଘଟଣାସ୍ଥଳକୁ ସରପଞ୍ଚ ପ୍ରତିନିଧି ନବକିଶୋର ହାତୀ, ନାଏବ ସରପଞ୍ଚ ଚନ୍ଦ୍ରମଣି ବଗର୍ତ୍ତୀ, ୱାର୍ଡ଼ସଭ୍ୟ ଅଶୋକ ଭରାସାଗର, ଉଦ୍ଧବ ଭୋଇ ପ୍ରମୁଖ ପହଞ୍ଚି ଘଟଣାକୁ ତୀବ୍ର ନିନ୍ଦା କରିଥିଲେ । ଠିକ୍ ସେହିପରି ପୂର୍ବ ରାତ୍ରିରେ ପୁଣି ଏକ ଅଘଟଣ ଗାଁରେ ଘଟିଥିଲା । ସମ୍ପୂର୍ଣ୍ଣ ମାକ୍ରିପଡ଼ା ଗାଁ ନିର୍ଭର କରୁଥିବା ବସୁଧା ଯୋଜନାର ପାଣି ଟାଙ୍କିର ଟ୍ରାନସଫର୍ମରରୁ ଫ୍ୟୁଜ୍ କାଢ଼ି ପମ୍ପ ଘର ତାଲା ଭାଙ୍ଗି ମଟରର ତାର କାଟି ଫିଙ୍ଗି ଦିଆଯାଇଥିଲା । ଏହି ଘଟଣା ମଧ୍ୟ ଲୋକଙ୍କ ମନରେ ଦ୍ୱନ୍ଦ ସୃଷ୍ଟି ହୋଇ ଲୋକଙ୍କୁ ଏହି ଅସାମାଜିକ ଦୁର୍ବୃତ୍ତମାନଙ୍କ ଠାରୁ ସତର୍କ ରହିବାକୁ କୁହାଯାଇଛି । ଏହିଭଳି ଏକରକମର ଶାନ୍ତ ଗ୍ରାମାଞ୍ଚଳଗୁଡିକରେ ମଦ ଓ ନିଶା ଦ୍ରବ୍ୟ ସେବନ କରି ଯୁବକମାନେ ବାରମ୍ବାର ଅସାମାଜିକ ତଥା ଅଶାନ୍ତି କାର୍ଯ୍ୟ କରୁଥିବା ଦୁର୍ବୃତ୍ତମାନଙ୍କୁ ଆଇନର ଆଶ୍ରୟ ନେଇ କଠୋରରୁ କଠୋର ଦଣ୍ଡ ଦେବା ପାଇଁ ଗ୍ରାମବାସୀମାନେ ସଜବାଜ ହେଉଥିବା ଜଣାପଡିଛି ।

Leave A Reply

Your email address will not be published.