jayashree

ବେଲପଡ଼ାରେ ମଦକୁ ନେଇ ପାରିବାରିକ କଳହ, ସ୍ତ୍ରୀ ମୃତ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ମଦ୍ୟପାନକୁ କେନ୍ଦ୍ର କରି ପାରିବାରିକ କଳହରୁ ଘଟିଛି ଛାତିଥରା ହତ୍ୟାକାଣ୍ଡ । ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଭରୁଆପାଲି ଗାଁରେ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ୨୫ ବର୍ଷୀୟା ରଂଜିତା କରୁଆଁ । ଅଭିଯୋଗ ଅନୁସାରେ, ତାଙ୍କ ସ୍ୱାମୀ ଜୟକିଶନ କରୁଆଁ ପ୍ରଚୁର ମଦ୍ୟପାନ କରି ଘରେ ସ୍ତ୍ରୀଙ୍କ ସହ ଗାଳିଗୁଲଜ କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ତୀବ୍ର ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଜୟକିଶନ ଘରେ ଥିବା ଟାଙ୍ଗିଆରେ ରଂଜିତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଏହାପରେ ନିଜ ୬ ବର୍ଷର ଝିଅ ରମାକାନ୍ତି କରୁଆଁଙ୍କୁ ମଧ୍ୟ ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ରଂଜିତାଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ଝିଅକୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ମୃତକଙ୍କ ଭାଇ ମନୁ ଠେଲା ବେଲପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ ଜୟକିଶନ କରୁଆଁଙ୍କୁ ଅଟକ ରଖିଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.