jayashree

ବରଗଡ଼ ନାଗରିକ ମଞ୍ଚର ଆହ୍ୱାନରେ ବିଶାଳ ରାଲି ଓ ପ୍ରତିବାଦ ସଭା

  • ନିଶା ମୁକ୍ତ ଧ୍ୱନିରେ କମ୍ପିଲା ବରଗଡ଼ ସହର

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ-ଶୃଙ୍ଖଳା ପରିସ୍ଥିତି, ବଢ଼ୁଥିବା ଅପରାଧ, ନିଶା ବ୍ୟବସାୟ, ଚୋରି, ଡକାୟତି ଏବଂ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ଚିନ୍ତାବ୍ୟକ୍ତ କରି ବରଗଡ଼ ସହରରେ ବିଶାଳ ରାଲି ଓ ପ୍ରତିବାଦ ସଭା ଆୟୋଜନ କରିଛି ବରଗଡ ନାଗରିକ ମଞ୍ଚ । ଶନିବାର ବରଗଡ଼ ଲମ୍ବା ବିଲଡିଂ ପାଖରୁ ଏକ ବିଶାଳ ରାଲି ସହର ମଧ୍ୟ ଦେଇ ଏସ୍‌ପି ଅଫିସରେ ପହଂଚି ଥିଲା । ମୁଖ୍ୟତଃ ବରଗଡ଼ରେ ନିଶା ବନ୍ଦ କରିବା ଓ ଆଇନ ଶୃଙ୍ଖଳାକୁ ଠିକ କରିବା ସହ ସାତ ଦଫା ସମ୍ମିଳିତ ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବରଗଡ଼ ଜିଲ୍ଲା ଆରାକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରାଯାଇଥିଲା । ବିଗତ କିଛି ଦିନ ହେବ ବରଗଡ ସହରରେ ଚୋରି, ଡକାୟତି, ଆକ୍ରମଣ, ହତ୍ୟାକାଣ୍ଡ ଭଳି ସଂଗୀନ ଅପରାଧ ଗୁଡିକ ଘଟିଥିବା ହେତୁ ଜନସାଧାରଣଙ୍କ ମଧ୍ୟରେ କୋକୁଆ ଭୟ ଲାଗି ରହିଛି ବୋଲି ଅଭିଯୋଗ ହୋଇଛି । ଏହି ଦାବୀ ଗୁଡିକ ପୂରଣ ନହେଲେ ଆଗାମୀ ଦିନରେ ବରଗଡ ବନ୍ଦ ଡାକରା ଦିଆଯିବ ବୋଲି ସଭାପତି ଭୀଷ୍ମଦେବ ସରାଫ ଚେତାବନୀ ଦେଇଛନ୍ତି । ନିଶା ଗୁଡିକ କେଉଁଠୁ ଆସୁଛି ଓ କେଉଁ କେଉଁ ବଡ଼ ଲୋକ ଏଥିରେ ସଂଶ୍ଲିଷ୍ଟ ଅଛନ୍ତି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପାଦକ ଭବାନୀ ସାହୁ ଦାବୀ କରିଛନ୍ତି । ନିଶା ମୁକ୍ତ ବରଗଡ଼ ପାଇଁ ବରଗଡର ସମସ୍ତ ସାମାଜିକ, ରାଜନୈତିକ, ସଂସ୍କୃତିକ, ମହିଳା, ଯୁବକ ସଂଗଠନ ଏକାଠି ହୋଇ ଥିବା ବେଳେ ଏଥିରେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, କଂଗ୍ରେସ ଜିଲ୍ଲା ସଭାପତି ହରଦିପ ସିଂ, ଓକିଲ ସଂଘ ସମ୍ପାଦକ ହରିହର ପ୍ରଧାନ, ଗୌରହରି ମିଶ୍ର, ଡ଼ା. ରାମକୃଷ୍ଣ ପୁରୋହିତ, ଡ଼ା. ସୁବଳ କର, ଚାଷୀ ନେତା ରମେଶ ମହାପାତ୍ର, ସଂଗ୍ରାମ ନେପାକ, ବୀରବଳ ମହାକୁର, ଆଇନଜୀବୀ ନିଧୁବନ ବିହାରୀ ପଣ୍ଡା, ଆଇନଜୀବୀ ଶିରୀଶ ବଲ୍ଲଭ ମିଶ୍ର, ବାସୁଦେବ ଦାଶ, ବିଜୟଲକ୍ଷ୍ମୀ ପଣ୍ଡା, ବୀଣାପାଣି ଜେନା, ପୁରନ୍ଦର ଭୋସାଗର, ଅବିନାଶ ବାଗ, ଗୋବିନ୍ଦ ଶର୍ମା, ଦୀନେଶ ଶର୍ମା, ଲିଙ୍ଗରାଜ ପୁରୋହିତ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.